ଭୁୁବନେଶ୍ୱର: ରାଜ୍ୟରେ ଆଉ ୨ହଜାର ଅଧିକ ନୂଆ ଟ୍ରାଫିକ ପୋଲିସ ପଦବୀ ସୃଷ୍ଟି ହେବ । ଏଥିରୁ ୫୦୦ ପଦବୀକୁ ଚଳିତବର୍ଷ ପୂରଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟନ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଓ ସଡ଼କ ସୁରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏହି ଉପଲକ୍ଷେ ‘ଓଡ଼ିଶା ଯାତ୍ରୀ ଆପ୍’କୁ ଲୋକାର୍ପଣ କରିଛନ୍ତି । ଲୋକଙ୍କୁ ସୁଲଭ ଓ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ଆପ୍ କାର୍ଯ୍ୟ କରିବ । ଏହି ଆପ୍ ମାଧ୍ୟମରେ ସାଧାରଣ ଲୋକ ଗୋଟିଏ କ୍ଲିକରେ ନିଜର ଗନ୍ତବ୍ୟ ସ୍ଥଳ ପାଇଁ ସହଜରେ ଅଟୋ ଓ ଟ୍ୟାକ୍ସି ପାଇପାରିବେ । ଏହି ବ୍ୟବସ୍ଥା ଉଭୟ ଚାଳକ ଓ ଯାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଗତ ୧୦ ବର୍ଷରେ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୪୭ ହଜାରରୁ ଅଧିକ ଜୀବନହାନୀ ଘଟିଛିଛି। ଏହା ଅତ୍ୟନ୍ତ ଚିନ୍ତାଜନକ। ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା କମ୍ କରିବାକୁ ସମସ୍ତଙ୍କୁ ଉଦ୍ୟମ କରିବାକୁ ହେବ। ସମୟ ଆସିଯାଇଛି, ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ହେବ। “ସୁରକ୍ଷିତ ଘରକୁ ଫେରନ୍ତୁ” ନାରା ସହ ସମସ୍ତଙ୍କୁ ସଡ଼କ ସୁରକ୍ଷା ନିୟମ ମାନି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ସେ ନିବେଦନ କରିଥିଲେ। ଏହି ସଚେତନତା ବାର୍ତ୍ତାକୁ ପ୍ରତି ସହର, ପ୍ରତି ଗାଁ ଓ ଘରେ ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।