ଭୁବନେଶ୍ୱର: ୨୦୦୬ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ଏ ନେଇ ଶନିବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଗତ ନଭେମ୍ବର ୧୭ ତାରିଖରୁ କେନ୍ଦ୍ରୀୟ ଡେପୁଟେସନରେ ଓଡ଼ିଶା କ୍ୟାଡରକୁ ଆସିଛନ୍ତି ମନୋଜ । ସେ ତିନି ବର୍ଷ ପର୍ଯ୍ୟନ୍ତ ଇଣ୍ଟର-କ୍ୟାଡେଟ୍ ଡେପୁଟେସନରେ ଥିଲେ । ମନୋଜକୁ ଓଡ଼ିଶା କ୍ୟାଡରରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଖରେ ଅନୁରୋଧ କରିଥିଲେ ।
୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ ଜଗତପୁରସିଂହ ଜିଲ୍ଲା ବାଲିକୁଦା ବ୍ଲକ୍ ସିଙ୍ଗାପୁର ଗ୍ରାମର ମୂଳ ବାସିନ୍ଦା ଅଟନ୍ତି । ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଓ କେନ୍ଦ୍ର ଶାସିତ ଅଞ୍ଚଳ (AGMUT) କ୍ୟାଡର୍ ଆଇଏଏସ୍ ଅଧିକାରୀ । ମନୋଜ ଦିଲ୍ଲୀ ଡେପୁଟି ଇଲେକ୍ସନ କମିଶନରଭାବେ ନିଯୁକ୍ତି ପାଇଥିଲେ । ଏହା ସହିତ ଦାଦ୍ରା ନଗର ହାବେଳୀ ଓ ଦାମନ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶର ୱେଷ୍ଟ ସିଆଙ୍ଗ ଏବଂ କୁରୁଙ୍ଗ କୁମେୟର ଜିଲ୍ଲାପାଳ ପଦରେ ମଧ୍ୟ ରହିସାରିଛନ୍ତି । ଏହା ସହିତ ସିଏ ପାନୀୟ ଜଳ ଓ ସାନିଟେସନ୍ ଉପ ସଚିବ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି ।
ଜାନୁୟାରୀ ୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ହଟାଇଦିଆଯାଇଥିଲା । ତାଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ଓ ପଦାଧିକାରୀ ଅତିରିକ୍ତ ନିର୍ଦ୍ଦେଶକଭାବେ ନୂତନ ଦାୟିତ୍ୱ ମିଳିଛି । ୨୦୧୧ ବ୍ୟାଚ୍ ଆଇଏଏସ୍ ଅଫିସର ଗତବର୍ଷ ଜୁଲାଇ ୧୭ ତାରିଖରେ ତାଙ୍କୁ ଏହି ବ୍ୟକ୍ତିଗତ ସଚିବ ଦାୟିତ୍ୱ ମିଳିଥିଲା । ମାତ୍ର ୫ ମାସ ପରେ ତାଙ୍କୁ ଏହି ପଦରୁ ହଟାଯାଇଥିଲା ।