ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ‘ଉତ୍କର୍ଷ ଓଡିଶା’ । ଏଥି ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି । ଶନିବାର ଏ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତୁତିର ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମର ତ୍ରୁଟି ଶୂନ୍ୟ ସୁପରିଚାଳନା କରି ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନଙ୍କ ନିକଟରେ ଓଡିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଦୀର୍ଘ ସମୟ ପାଇଁ ଓଡିଶା ପୁଞ୍ଜି ନିବେଶକମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଜାନୁଆରୀ ୨୭ ତାରିଖରେ Confederation of Indian Industries ପକ୍ଷରୁ ଏହାର ନ୍ୟାସନାଲ ଏକଜିକ୍ୟୁଟିଭ୍ କାଉନସିଲର ବୈଠକ ଅନୁଷ୍ଠିତ ହେବ । ଜାନୁଆରୀ ୨୮-୨୯ ଦୁଇ ଦିନ ଧରି ୪ଟି ପ୍ଲେନାରୀ ସେସନ (Plenary Session), ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ରାଉଣ୍ଡ ଟେବୁଲ୍ କନଫରେନସ୍ ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ଜଡିତ ବ୍ୟକ୍ତିମାନେ ଯୋଗଦେବେ ।
ସେହପିର ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପପତି ଓ ପୁଞ୍ଜି ନିବେଶକାରୀମାନଙ୍କୁ ସମ୍ବୋଧନ କରିବେ । ଏହି ଦୁଇ ଦିନ ମଧ୍ୟରେ ଶିଳ୍ପର ବିଭିନ୍ନ କ୍ଷେତ୍ର ସମ୍ବନ୍ଧିତ ସ୍ୱତନ୍ତ୍ର ସେସନ୍ ଅନୁଷ୍ଠିତ ହେବା ସହିତ ବିଶିଷ୍ଟ ଶିଳ୍ପପତି ମାନଙ୍କ ଅଭିଭାଷଣ, ମୁଖ୍ୟମନ୍ତ୍ରୀଙ୍କ ସହିତ ବଡ ବଡ ଶିଳ୍ପସଂସ୍ଥାର ସି.ଇ.ଓ ମାନଙ୍କ ରାଉଣ୍ଡ ଟେବୁଲ, ଓଡିଆ ଉଦ୍ୟୋଗୀ ମାନଙ୍କ ସ୍ୱତନ୍ତ୍ର ସେସନ୍ ଏବଂ ମହିଳା ବିଜନେସ୍ ଲିଡର୍ସ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଏହା ସହିତ ‘ସୁଭଦ୍ରାରୁ ମୁଦ୍ରା’ ନାମରେ ଓଡିଆ ମହିଳା ଉଦ୍ୟୋଗୀ ମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସେସନ ଅନୁଷ୍ଠିତ ହେବ । ଜାନୁଆରୀ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିଆଲ୍ ଏକଜିବିସନ୍ ଅନୁଷ୍ଠିତ ହେବ ।
ଆଜିର ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ ।