ଭୁବନେଶ୍ୱର: ଆଉ ଚାରିଟା ଦିନ ପରେ ଭୁବନେଶ୍ୱରରେ ଆରମ୍ଭ ହେବ ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତ । ଅତିଥିଙ୍କ ଚର୍ଚ୍ଚାରେ ଯେମିତି ତିଳେ ମାତ୍ର କମି ନ ରୁହେ ସେଥିପାଇଁ ଲକ୍ଷ୍ୟ କରାଯାଉଛି । ଏହି ସମୟରେ ପ୍ରବାସୀ ଭାରତୀୟମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଭ୍ରମଣ କରିପାରନ୍ତି । ସେଥିପାଇଁ ରାଜ୍ୟର ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରସ୍ତୁତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୬ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ, ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବା । ସେହିପରି ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବାକୁ ପଞ୍ଜୀକରଣ କରିଛନ୍ତି । କିଛି ପ୍ରବାସୀ ଓଡ଼ିଆ ଲୋକଙ୍କ ଘରେ ହୋମ୍ ଷ୍ଟେରେ ରହିବେ । ସେମାନେ ଓଡ଼ିଆ ଖାଦ୍ୟ ମଧ୍ୟ ଖାଇବେ । ଓଡ଼ିଶାକୁ ବିଶ୍ୱ ଦରବାରରେ ପହଁଚାଇବାକୁ ଚେଷ୍ଟା ରହିଛି । ଏହି ସମୟରେ ଭୁବନେଶ୍ଵରରେ ପଥୋତ୍ସବ ଓ ପୁରୀରେ ବିଚ୍ ଫେଷ୍ଟିଭାଲ ଚାଲିବ । ସେହିପରି ମୁକ୍ତେଶ୍ୱର ଫେଷ୍ଟିଭାଲଠୁ ଆରମ୍ଭ କରି ଅନ୍ୟାନ୍ୟ ଉତ୍ସବ ମଧ୍ୟ କରାଯିବ ।
ପ୍ରବାସୀଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇବାକୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷା କହିପାରୁଥିବା ଗାଇଡ୍ ରହିବେ । ଏଥିପାଇଁ ୩୧ଟି ପର୍ଯ୍ୟଟନସ୍ଥଳୀକୁ ପ୍ରଦର୍ଶିତ ପାଇଁ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।