ନୂଆଦିଲ୍ଲୀ: ୨୦୨୪ ବର୍ଷଟି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ଖାସ୍ ରହିଛି । ଭାରତୀୟ ଦଳ ପାଇଁ ମଧ୍ୟ ଏହା ସ୍ୱତନ୍ତ୍ର ରହିଛି, କାରଣ ଦଳ ଦ୍ୱିତୀୟ ଥର ଟି-୨୦ ବିଶ୍ୱକପ୍ ଚାମ୍ପିଅନ ହୋଇଛି । ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ଏକ ଖାସ୍ ତାଲିକା ଜାରି କରିଛି । ଏଥିରେ ପାକିସ୍ତାନର ବାବର ଆଜମ, ଅଷ୍ଟ୍ରେଲିଆର ଟ୍ରେଭିସ ହେଡ, ଜିମ୍ବାୱେର ସିକନ୍ଦର ରଜା ଓ ଭାରତର ଅର୍ଶଦୀପ ସିଂ ସାମିଲ । ଏହି ଚାରି ଖେଳାଳି ଆଇସିସି ପୁରୁଷ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟର ଅଫ ଦ ଇୟର ଦୌଡରେ ରହିଛନ୍ତି । ଏହାକୁ ନେଇ ଭୋଟିଂ ଚାଲିଛି ।
ବାବର ଆଜମ(ପାକିସ୍ତାନ)
ପାକିସ୍ତାନର ଅଧିନାୟକ ବାବର ଆଜମ ୨୦୨୪ରେ ୨୪ଟି ମ୍ୟାଚରେ ଛଅ ଅର୍ଦ୍ଧଶତକ ସହ ୭୩୮ ରନ କରିଛନ୍ତି ।ତାଙ୍କର ସର୍ବୋଚ୍ଚ ସ୍କୋର ୭୫ ରନ ରହିଛି । ଚଳିତ ବର୍ଷ ଟି-୨୦ରେ ସେ ଚମତ୍କାର ଫର୍ମରେ ଥିଲେ ।
ଟ୍ରେଭିସ ହେଡ(ଅଷ୍ଟ୍ରେଲିଆ)
ଅଷ୍ଟ୍ରେଲିଆର ଟ୍ରେଭିସ ହେଡ ୨୦୨୪ରେ ଟି-୨୦ କ୍ରିକେଟରେ ନିଜର ଦମ୍ ଦେଖାଇଛନ୍ତି । ସେ ୧୫ ମ୍ୟାଚରେ ୧୭୮.୪୭ଷ୍ଟ୍ରାଇକ ରେଟରେ ୫୩୯ ରନ କରିଛନ୍ତି । ଏଥିରେ ଚାରି ଅର୍ଦ୍ଧଶତକ ସାମିଲ । ଇଂଲଣ୍ଡ ବିପକ୍ଷ ୫୯ ରନର ଇନିଂସ ତାଙ୍କର ଚଳିତ ବର୍ଷର ସବୁଠୁ ଶ୍ରେଷ୍ଠ ଇନିଂସ ଥିଲା ।
ସିକନ୍ଦର ରଜା(ଜିମ୍ବାୱେ)
ଜିମ୍ବାୱେର ଅଲରାଉଣ୍ଡର ସିକନ୍ଦର ରଜା ନିଜ ଦଳକୁ ଅନେକ ସ୍ମରଣୀୟ ବିଜୟ ଦେଇଛନ୍ତି । ସେ ୨୦୨୪ରେ ୧୪୬.୫୪ଷ୍ଟ୍ରାଇକ ରେଟରେ ୫୭୩ ରନ ଏବଂ ବୋଲିଂରେ ୨୨.୨୫ ହାରରେ ୨୪ ସଫଳତା ହାସଲ କରିଛନ୍ତି । ଭାରତ ବିପକ୍ଷରେ ୩/୨୫ ବୋଲିଂ ଓ ଅଧିନାୟକତ୍ୱ ବଳରେ ୧୩ ରନରେ ଦଳକୁ ଜିତାଇବା ଚମତ୍କାର ରହିଥିଲା । ୩୯ ବର୍ଷୀୟ ରଜା ଚଳିତ ବର୍ଷରେ ଦମଦାର ପ୍ରଦର୍ଶନରେ ନଜର ଆସିଛନ୍ତି ।
ଅର୍ଶଦୀପ ସିଂ(ଭାରତ)
ଭାରତର ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ୨୦୨୪ରେ ନିଜର ଶାଣିତ ବୋଲିଂରେ କ୍ରିକେଟ୍ ପ୍ରେମୀଙ୍କୁ ପ୍ରଭାବିତ କରିଛନ୍ତି । ସେ ୨୦୨୪ରେ ୧୮ଟି ମ୍ୟାଚ୍ ଖେଳି ୧୩.୫ ହାରରେ ୩୬ ୱିକେଟ୍ ନେଇଛନ୍ତି । ବିଶେଷ କରି ଟି-୨୦ ବିଶ୍ୱକପ୍ ୨୦୨୪ ଫାଇନାଲରେ ତାଙ୍କର ଘାତକ ବୋଲିଂ ଭାରତକୁ ଦ୍ୱିତୀୟ ଥର ଚାମ୍ପିଅନ କରାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।