ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଶୀର୍ଷରେ ରହିଛି । ବହୁତ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୭ କିମ୍ବା ୮ ତାରିଖରେ ନିର୍ବାଚନ ଆୟୋଗ ଦିଲ୍ଲୀ ନିର୍ବାଚନର ତାରିଖ ଘୋଷଣା କରି ପାରନ୍ତି । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ନିର୍ବାଚନ ଏବଂ ଫେବୃଆରୀ ୧୫ ପରେ ଫଳାଫଳ ଆସିବ ବୋଲି କୁହାଯାଉଛି ।
ଫେବୃଆରୀ ୧୧ରୁ ଫେବୃଆରୀ ୧୩ ତାରିଖ ମଧ୍ୟରେ ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟ ମତଦାନ କରାଯିବ । ଭୋଟ୍ ଗଣତି ଫେବୃଆରୀ ୧୫ କିମ୍ବା ୧୬ ତାରିଖ ହୋଇପାରେ । ଅର୍ଥାତ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନୂଆ ଭୋଟର ତାଲିକା ଜାରି କରିବେ । ଏହି ଦୃଷ୍ଟିରୁ ଦିଲ୍ଲୀରେ ଫେବୃଆରୀ ତୃତୀୟ ସପ୍ତାହ ସୁଦ୍ଧା ନୂଆ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଯିବ ।
ଦିଲ୍ଲୀ ଗଡ ହାସଲ ପାଇଁ ଆମ୍ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ବିଭିନ୍ନ ରାଜନୈତିକ ଦଳ ଅନେକ ପ୍ରକାରର ପ୍ରତିଶ୍ରୁତି ଦେଲେଣି । ବିଜେପି ଗତ ୨୭ ବର୍ଷର ଦିଲ୍ଲୀରେ ଶାସନ ନ କରି ପାରିବାର ମରୁଡିର ଅନ୍ତ ଘଟାଇବାକୁ ଅଣ୍ଟା ଭିଡିଥିବା ବେଳେ ଆପ୍ ପୁଣି ଥରେ ନିଜର ଗଡ ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛି ।
ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ, ଗତ ୨୭ ବର୍ଷରେ ବିଜେପି ନିଜର ଭୋଟ୍ ବ୍ୟାଙ୍କ ବଜାୟ ରଖିବାରେ ସଫଳ ହୋଇଛି । ଅନ୍ୟପଟେ କଂଗ୍ରେସର ଜନାଧାର ରାଜଧାନୀରେ ଦିନକୁ ଦିନ କମିବାରେ ଲାଗିଛି । କେନ୍ଦ୍ର କ୍ଷମତାରୁ ହଟିବା ସହ କଂଗ୍ରେସର ଭୋଟ୍ ପ୍ରତିଶତ ମଧ୍ୟ କମିବାରେ ଲାଗିଥିବା ବେଳେ ଆପର ଭୋଟ୍ ହାର ବଢିବାରେ ଲାଗିଛି । ଦିଲ୍ଲୀରେ ଏମିତି ଅଧିକାଂଶ ସିଟ୍ ରହିଛି, ଯେଉଁଠି ଆପ୍ ପ୍ରାର୍ଥୀ ଅଳ୍ପ ବ୍ୟବଧାନରେ ନିର୍ବାଚନ ଜିତିଥିଲେ ।