ବେଙ୍ଗାଲୁରୁ: ଭାରତୀୟ ଗବେଷଣା କେନ୍ଦ୍ର (ଇସ୍ରୋ)କୁ ଆଉ ଏକ ବଡ଼ ସଫଳତା ମିଳିଛି । ମହାକାଶରେ ଗଜା ହୋଇଛି ଝୁଡ଼ଙ୍ଗ ମଞ୍ଜି । ସ୍ପେଡେକ୍ସ ମିଶନ ଜରିଆରେ ମହାକାଶକୁ ଇସ୍ରୋ ପଠାଇଥିବା ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହୋଇଛି । ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଡିସେମ୍ବର ୩୦ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ପ୍ରଥମ ଲଞ୍ଚ ପ୍ୟାଡ୍ରୁ ନିଜର ସ୍ପେଡେକ୍ସ ମିଶନ ଲଞ୍ଚ କରିଥିଲା ଇସ୍ରୋ । ପିଏସଏଲଭି –ସି ୬୦ ପଏମ୍-୪ ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଯାଇଥିଲା । କ୍ରପ୍ ପେଲୋଡ୍ରେ ୮ଟି ଝୁଡ଼ଙ୍ଗ ମଞ୍ଜି ମହାକାଶରେ ଗଜା କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଯାହାକି ସଫଳ ହୋଇଥିବା ଦେଖିବାକୁ ମିଳିଛି । ମାତ୍ର ୪ ଦିନରେ ଝୁଡ଼ଙ୍ଗ ମଞ୍ଜି ଅଙ୍କୁରିତ ହୋଇ ଗଜା ବାହରିଥିବା ଦେଖାଯାଇଛି । ଯାହା ଇସ୍ରୋ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି । ତେବେ ଖୁବଶୀଘ୍ର ଗଜାରୁ ପତ୍ର ବାହାରିବା ନେଇ ମଧ୍ୟ ଆଶା ରଖିଛି ଇସ୍ରୋ ।