ପାଖେଇ ଆସୁଛି ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଅର୍ବାନ୍ ୱାର୍ ଫାୟାର ପକ୍ଷରୁ ଏକ ମକଡ୍ରିଲ କରାଯାଇଛି । ସୁରକ୍ଷା ପାଇଁ ଭୁବନେଶ୍ୱର ଜନତା ମଇଦାନରେ ଏହି ମକ ଡ୍ରିଲ ହୋଇଛି । ଆତଙ୍କବାଦୀ ଆକ୍ରମଣ ରୋକିବା ଓ ପ୍ରତିରୋଧ କରିବାକୁ ବଡ ପ୍ରସ୍ତୁତି କରାଯାଇଛି । ଯେଉଁଥିରେ ଏସ୍ ଓଜି, ଏସ୍ ପିଜି, ଓଡ୍ରାଫ୍ ଓ ଅଗ୍ନିଶମ, କ୯ ସ୍କ୍ବାଡ୍ ଏହି ମକ୍ ଡ୍ରିଲ୍ ରେ ସାମିଲ ହୋଇଛନ୍ତି । ଏହାସହିତ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଜନତା ମଇଦାନର ସୁରକ୍ଷା ଯାଞ୍ଚ କରିଥିବା ବେଳେ ତାଙ୍କ ସହ ପୋଲିସ କମିସନର, ଭୁବନେଶ୍ୱର ଡିସିପି, ଅତିରିକ୍ତ ପୋଲିସ କମିଶନର ସାମିଲ ହୋଇଥିଲେ ।
ସୂଚନା ଅନୁସାରେ ଆସନ୍ତା ୮ ତାରିଖରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପ୍ରବାସୀ ଭାରତୀୟ ଦିବସ । ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ, ଅତିଥି, ପ୍ରବାସୀ ଭାରତୀୟ ଓ ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀଙ୍କ ସମେତ ବହୁ ଭିଆଇପି ଓ ଭିଭିଆଇପି ଯୋଗ ଦେବେ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯାନବାହାନ ପାର୍କିଂ ସ୍ଥଳ, ଉତ୍ସବସ୍ଥଳରେ ସୁରକ୍ଷା ବ୍ୟବସ୍ଥା ସହ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଡିଜିପି ଖୁରାନିଆ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୬୫୦ ବରିଷ୍ଠ ପୁଲିସ ଅଧିକାରୀ ଦାୟିତ୍ୱରେ ରହିବେ । ସେହିପରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ ମଧ୍ୟ ସଜାଗ ରହିବେ ।