ଭୁବନେଶ୍ୱର: ଓଡିଶାର ଶିଳ୍ପ କ୍ଷେତ୍ର ବିକଶିତ ହେବା ସହ କେମିତି ରୋଜଗାର ମିଳିବ ସେ ଦିଗରେ ମୋହନ ମାଝୀ ସରକାର ଚେଷ୍ଟା ଚଳାଇ ଆସିଛନ୍ତି । ଏହି କ୍ରମରେ ସୋମବାର ରାଜ୍ୟରେ ୫ଟି ଶିଳ୍ପ ପ୍ରକଳ୍ପରେ ମୋଟ ୪୪ ହଜାର ୭୯୩ କୋଟି ୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଅନୁମୋଦନ ମିଳିଛି । ଏହାଦ୍ୱାରା ରାଜ୍ୟରେ ୨୩୦୦୫ ନିଯୁକ୍ତି ସୃଷ୍ଟି ହେବ । ରିଫାଇନାରୀ, ପେଟ୍ରୋକେମିକାଲ୍ସ, ଗ୍ରୀନ୍ ଏନର୍ଜୀରେ ଏହି ପୁଞ୍ଜି ନିବେଶ ହେବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ହାଇଲେଭଲ କ୍ଲିଅରାନ୍ସ ଅଥରିଟି ବୈଠକରେ ରିଫାଇନାରୀ ଓ ପେଟ୍ରୋକେମିକାଲ, ଗ୍ରୀନ୍ ଏନର୍ଜି ଉପକରଣ, ବାୟୋଟେକ୍ନୋଲୋଜି, ଷ୍ଟିଲ ଆଣ୍ଡ କେମିକାଲସ୍ କ୍ଷେତ୍ରର ଏହି ପୁଞ୍ଜିନିବେଶ ରାଜ୍ୟର ୩ଟି ଜିଲ୍ଲାରେ ଶିଳ୍ପ ପ୍ରକଳ୍ପରେ ହେବ ।
ଯାଜପୁର ଓ କଟକ ଜିଲ୍ଲାରେ ୨ଟି ଲେଖାଏଁ ଓ ଢେଙ୍କାନାଳରେ ଗୋଟିଏ ଶିଳ୍ପ ପ୍ରକଳ୍ପକୁ ମିଶାଇ ମୋଟ ୫ଟି ଶିଳ୍ପ ପ୍ରକଳ୍ପରେ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଯାହା ଓଡ଼ିଶାରେ ଶିଳ୍ପ ଓ ଆର୍ଥିକ ଭିତ୍ତିଭୂମିକୁ ଗତିଶୀଳ କରାଇବ । ଉତ୍କର୍ଷ ଓଡ଼ିଶା-୨୦୨୫ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ରୋଡଶୋ’ବେଳେ ଏହି ପ୍ରସ୍ତାବ ଆସିଥିଲା ।