ଭୁବନେଶ୍ୱର : ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତରେ ପରିପୂର୍ଣ୍ଣ ରାଜାରାଣୀ ସଂଗୀତ ମହୋତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏହି ସଂଗୀତ ମହୋତ୍ସବ ଅନେକ ନାମିଦାମୀ ସଂଗୀତକାର ମାନେ ସାମିଲ ହୋଇଥିଲେ। ତେବେ ଏହାର ଉଦଘାଟନୀ ସମାରୋହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଣ୍ଠଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଦିନର ସାଂସ୍କୃତିକ ସନ୍ଧ୍ୟାରେ ସତ୍ୟବ୍ରତ କାଠ ଓ ଗ୍ରୁପ ଓଡ଼ିଶୀ ସଂଗୀତ ଓ କିରୱାନୀ ରାଗରେ ହିନ୍ଦୁସ୍ତାନୀ ସଂଗୀତ ପରିବେଷଣ କରିଥିବା ବେଳେ ମହେଶ ବିନାୟକରାମ ଏବଂ ଗ୍ରୁପଙ୍କ ଦ୍ୱାରା କର୍ଣ୍ଣାଟକୀ ସଂଗୀତ ପରିବେଷଣ କରାଯାଇଥିଲା। ରାଜାରାଣୀ ମୁକ୍ତାକାଶ ସାଂସ୍କୃତିକ ମଞ୍ଚରେ କଣ୍ଠଶିଳ୍ପୀମାନେ ଓଡ଼ିଶୀ, ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଂଗୀତ ପରିବେଷଣ କରିବା ସହ ବିଭିନ୍ନ ବାଦ୍ୟ ଦ୍ୱାରା ମଧ୍ୟ ସଂଗୀତକାରମାନେ ସଂଗୀତ ପରିବେଷଣ କରିଥିଲେ। ତେବେ ଏହି ମହୋତ୍ସବରେ ସାମିଲ ହୋଇଥିଲେ ହଜାର ହଜାର ଦର୍ଶକ।