ଭୁବନେଶ୍ୱର : ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ସ୍ବାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ଓଡ଼ିଶାର କଳାକାରମାନେ ସେମାନଙ୍କର ପ୍ରଦର୍ଶନ କରିଛନ୍ତି। ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ, ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ ସହିତ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ସେହିପରି ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। କାର୍କେଡ୍ରେ ଥାଇ ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ସିଧାସଳଖ ରାଜଭବନରେ ପହଞ୍ଚିଛନ୍ତି। ସେ ଆଜି ରାଜଭବନରେ ରାତ୍ରୀଯାପନ କରିବେ ଏବଂ ଆସନ୍ତାକାଲି ପୂର୍ବାହ୍ଣରେ ରାଜଭବନରୁ ବାହାରି ଜନତା ମଇଦାନରେ ପହଞ୍ଚିବେ।ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ସ୍ଥାନୀୟ ଜନତା ମଇଦାନ୍ରେ ଆରମ୍ଭ ହୋଇଥିବା ‘ପ୍ରବାସୀ ଭାରତୀୟ ଦିବସ’ ସମ୍ମେଳନକୁ ଉଦ୍ଘାଟନ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ। ଏହାପରେ ୪ଟି ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ।