ବିଜାପୁର: ଛତିଶଗଡ଼ ବିଜାପୁରରେ ବଡ଼ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ମଧ୍ୟ ସୁରକ୍ଷାବାହିନୀଙ୍କ ମନୋବଳ ଭାଙ୍ଗି ନହିଁ । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଲାଲଗଡ଼ରେ ପୁଣି ଥରେ ସୁରକ୍ଷାବାହିନୀ ଓ ଲାଲବାହିନୀ ମୁହାଁମୁହାଁ ହୋଇଛନ୍ତି । ଯବାନଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଛନ୍ତି । ଖବର ଲେଖା ଯିବାବେଳକୁ ଗୁଳି ବିନିମୟ ଜାରି ରହିଥିଲା । ଏକ ମିଳିତ ଅପରେସନରେ ବିଜାପୁର ଆଇଡିକୁ ବିସ୍ଫୋରଣ କରାଯାଇଛି ।
ବିଜାପୁରରେ ବଡ଼ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ସମ୍ପୃକ୍ତ ସ୍ଥାନରେ ମାଓବାଦୀ ଖୋଜି ବାହାରକୁ କରିବାକୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ବିଜାପୁର ସୀମାରେ ଡିଆରଜି , ଏସଟିଏଫ୍ ଏବଂ କୋବ୍ରା ବାହିନୀର ଗୁରୁବାର ମିଳିତ ତଲାସୀ ଅଭିଯାନ କରିଛନ୍ତି । ଏଥିରେ ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି । ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାତ୍ର ଯବାନଙ୍କ ଅତର୍କିତ ଆକ୍ରମଣକୁ ସାମ୍ନା କରିପାରି ନାହାଁନ୍ତି ମାଓବାଦୀ । ଯବାନଙ୍କ ଗୁଳିରେ ୩ ମାଓବାଦୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିବା ସୂଚନା ।
ଅନ୍ୟପକ୍ଷରେ ବିଜାପୁର ଆୱାପାଲି ଥାନା ଅନ୍ତର୍ଗତ ମୁର୍ଦାଣ୍ଡା ଗ୍ରାମରେ ରାଜ୍ୟ ପୋଲିସ ଏବଂ ସିଆରପିଏଫର ୨୨୯ ବାଟାଲିୟନ୍ ପକ୍ଷରୁ ସର୍ଚ୍ଚ ଅଭିଯାନ କରାଯାଇଛି । ସର୍ଚ୍ଚ ଅପରେସନ ବେଳେ ଆଇଇଡି ଠାବ କରାଯାଇ ତାଙ୍କୁ ବିସ୍ଫୋରଣ କରିଛି ସୁରକ୍ଷାବାହିନୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ସୋମବାର ବିଜାପୁର ଜିଲ୍ଲାର କୁତ୍ରୁ-ବେଦ୍ରେ ରାସ୍ତାରେ ଯବାନମାନେ ଜଏଣ୍ଟ ଅପରେସନ୍ ସାରି ଦନ୍ତେୱାଡ଼ା ଜିଲ୍ଲାକୁ ଏକ ଗାଡ଼ିରେ ଫେରୁଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୯ ଜଣ ଯବାନ ସହୀଦ ହୋଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଗାଡ଼ି ୪୦-୫୦ ଫୁଟ୍ ଉପରକୁ ଉଠିଯାଇଥିଲା ।