ବାରିପଦା : ବାଥୁଡି ସମ୍ପ୍ରଦାୟର ମାନବ ଦେଉଳ ଭାବେ ପରିଚିତ ଅଠର ଦେଉଳର ପୁନରୁଦ୍ଧାର ସମେତ ବାଥୁଡି ସମ୍ପ୍ରଦାୟର ସଂରକ୍ଷଣ ପାଇଁ ସରକାରୀ ପଦକ୍ଷେପ ନେଇ ଦାବି ହୋଇଛି। ଏନେଇ ଅଠର ଦେଉଳ ପରିଚାଳନା କମିଟି ଏକ ପ୍ରତିନିଧି ଦଳ ବାରିପଦା ଠାରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ବାଥୁଡି ସମ୍ପ୍ରଦାୟର ଆରାଧ୍ୟ ଦେବତା ଅଠର ଦେଉଳ ମନ୍ଦିର ବର୍ତ୍ତମାନ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଦେଉଳର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ଏହାର ପୁନରୁଦ୍ଧାର କରି ସ୍ମାରକୀ ଭାବେ ଘୋଷଣା କରିବାର ଆବଶ୍ୟକତା ରହିଛି। ତେଣୁ ବାଥୁଡି ସମ୍ପ୍ରଦାୟର ଭାବାବେଗ ସହ ଜଡିତ ସଂସ୍କୃତିର ଅବକ୍ଷୟ ନକରି ଏହାର ପୁନରୁଦ୍ଧାର ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଏହି ସମ୍ପ୍ରଦାୟର ପ୍ରତିନିଧି ଦଳ ନିବେଦନ କରିଛନ୍ତି।