ଭୁୁବନେଶ୍ୱର: ଦକ୍ଷିଣ ଓଡିଶାର ପରୀକ୍ଷାର୍ଥୀଙ୍କ ପାଇଁ ଖୁସିର ଖବର । କୋରାପୁଟ ଜିଲ୍ଲାର ଜୟପୁର ଠାରେ ହେବ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ର ନୂଆ ପରୀକ୍ଷା ଜୋନ୍ । ଓପିଏସସି ପକ୍ଷରୁ ଏ ନେଇ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି । ଏଥର ଲିଖିତ ପରୀକ୍ଷା ରାଜ୍ୟର ୫ ପରିବର୍ତ୍ତେ ୬ଟି ଜୋନରେ କରାଯିବ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତମାସ ୧ ତାରିଖରେ ରାଜ୍ୟର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷମାନଙ୍କ ସହ ବୈଠକ ବେଳେ ଜୟପୁରଠାରେ ଏକ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଲୋକସେବା ଆୟୋଗଙ୍କ ଦ୍ୱାରା ଜୟପୁରଠାରେ ପରୀକ୍ଷା କେନ୍ଦ୍ର ସ୍ଥାପନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ସହରରେ ଓପିଏସସିର ପରୀକ୍ଷା କେନ୍ଦ୍ର ଥିଲା । ଜୟପୁର ସହରରେ ମଧ୍ୟ ଏଣିକି ଲିଖିତ ପରୀକ୍ଷା କେନ୍ଦ୍ର ହେବ। ଏହି ଖବର ପରେ ଜୟପୁର ସମେତ ଦକ୍ଷିଣ ଓଡିଶାର ପରୀକ୍ଷାର୍ଥୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି ।