ଗ୍ବାଲିୟର: କୋଲକାତାର ଆରଜି କର ହସ୍ପିଟାଲରେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ଦେଶବାସୀ ଭୁଲିପାରି ନାହାନ୍ତି। ଏବେ ମଧ୍ୟପ୍ରଦେଶର ଗ୍ୱାଲିୟରସ୍ଥିତ ଏକ ହସ୍ପିଟାଲରେ ସମାନ ପ୍ରକାରର ଘଟଣା ଘଟିଛି। କଲେଜ ହଷ୍ଟେଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ୱାଲିୟରର ଏକ ସରକାରୀ ମେଡିକାଲ କଲେଜରେ ଏହି ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ କନିଷ୍ଠ ଡାକ୍ତରଙ୍କୁ ତାଙ୍କ ସହକର୍ମୀ ଏକ ଖାଲି ଓ ନଷ୍ଟ ହୋଇଯାଇଥିବା ଘର ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ରବିବାର ଗଜରାଜା ମେଡିକାଲ କଲେଜ ପରିସରରେ ଥିବା ହଷ୍ଟେଲରେ ଏହି ଘଟଣା ଘଟିଥିବା ବେଳେ ପୀଡ଼ିତା ମଧ୍ୟପ୍ରଦେଶ ସହରର କମ୍ପୁ ଥାନାରେ ଅଭିଯୋଗ କରିବା ପରେ ୨୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ସିଟି ଆରକ୍ଷୀ ଅଧୀକ୍ଷକ (ସିଏସପି) ଅଶୋକ ଜାଡନ କହିଛନ୍ତି ଯେ ପୀଡ଼ିତାଙ୍କୁ ପରୀକ୍ଷା ଦେବାକୁ ପଡ଼ିଥିଲା ଏବଂ ସେ କଲେଜର ବାଳିକା ହଷ୍ଟେଲରେ ରହୁଥିଲେ।
ଏବେ ଖାଲି ପଡ଼ିଥିବା ଏକ ପୁରୁଣା ହଷ୍ଟେଲରେ ଅଭିଯୁକ୍ତ ଯୁବତୀଙ୍କୁ ଭେଟିବାକୁ ନିମନ୍ତ୍ରଣ କରିଥିଲା। ଡାକ୍ତର ସେଠାରେ ପହଞ୍ଚିବା ପରେ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଓ ହତ୍ୟା କୁ ନିଶ୍ଚିତ କରାଯାଇଥିଲା। ପ୍ରଥମେ କୋଲକାତା ପୁଲିସ ଏହି ମାମଲାର ତଦନ୍ତ କରିଥିଲା କିନ୍ତୁ କୋଲକାତା ହାଇକୋର୍ଟ ସ୍ଥାନୀୟ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଚିନ୍ତା ପ୍ରକଟ କରି ସିବିଆଇକୁ ହସ୍ତାନ୍ତର କରିଥିଲେ।
ଅଧିକ ପଢ଼ନ୍ତୁ: ଇସ୍ତଫା ଦେବା ପରେ ଜଷ୍ଟିନ ଟ୍ରୁଡୋ କହିଲେ...