ରାୟପୁର: ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ସାମ୍ନାକୁ ଆସିଛି ବଡ ଅପଡେଟ। ଏହି ମାମଲାରେ ଏସଆଇଟି ଟିମ୍ ବିଳମ୍ବିତ ରାତିରେ ଫେରାର ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରକରଙ୍କୁ ହାଇଦ୍ରାବାଦରୁ ଗିରଫ କରିଛନ୍ତି। ତାଙ୍କୁ ପଚରାଉଚରା କରାଯାଉଛି।
ଏହା ପୂର୍ବରୁ ପୁଲିସ ରିତେଶ ଚନ୍ଦ୍ରାକର ଓ ଦିନେଶ ଚନ୍ଦ୍ରାକର, କଂଗ୍ରେସ ନେତା ତଥା ଠିକାଦାର ସୁରେଶ ଚନ୍ଦ୍ରାକରଙ୍କ ଦୁଇଭାଇଙ୍କ ସମେତ ଜଣେ ଶ୍ରମିକଙ୍କୁ ଗିରଫ କରିଥିଲା। ସୁରେଶ ଚନ୍ଦ୍ରାକରଙ୍କୁ ଧରିବା ପାଇଁ ଏହି ଟିମ୍ ଶନିବାର ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲା।
ସୂଚନାଯୋଗ୍ୟ, ପୁଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ମୁକେଶ ନୂଆବର୍ଷ ତଥା ଜାନୁଆରି ୧ରେ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନଥିଲା। ଫୋନ୍ ସୁଇଚ୍ ଅଫ୍ ଥିବାରୁ ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କ ଭାଇ ସୁକେଶ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ବିଜାପୁର ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ବିଜାପୁର ଅଞ୍ଚଳରେ କୋଟିକୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ପୂର୍ତ୍ତ ବିଭାଗ ଦ୍ବାରା ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରକ୍ତମୁଖା ହୋଇ ଉଠିଥିଲେ। ଜାନୁଆରି ୧ରେ ମୁକେଶଙ୍କୁ ଠିକାଦାର ଅପହରଣ କରିବା ପରେ ହତ୍ୟା କରିଥିଲେ।
ଅଧିକ ପଢ଼ନ୍ତୁ: ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା ଏଚ୍ଏମ୍ପିଭି ଭୂତାଣୁ ଭାରତରେ ଚିହ୍ନଟ