ଯାଜପୁର: ଛୋଟ ପିଲାଙ୍କୁ ଘର ବୃଦ୍ଧ ଜେଜେମା ଜେଜେବାପା ରାମାୟଣ ପୁରାଣ ଗ୍ରନ୍ଥ ଏବଂ ଆଇ ମା କାହାଣୀ କହି ଭଲ ଶିକ୍ଷା ଦେଇ ଥାଆନ୍ତି । ନିଜ ବାପା ମାଆଙ୍କ ଅପେକ୍ଷା ଜେଜେ ବାପା ଏବଂ ଜେଜେ ମାଆଙ୍କ ପାଖରେ ସମୟ ବିତାଇ ଥାଆନ୍ତି ଶିଶୁ । କିନ୍ତୁ ଜେଜେ ବାପା କଥା କହି ଶିଖି ନ ଥିବା ଶିଶୁକୁ ବିଡ଼ି ପିଆଇବା ବୋଧେ କେହି ଶୁଣି ନ ଥିବେ । ଆଜ୍ଞା ହଁ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଏଭଳି ଏକ ଦୃଶ୍ୟର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟି ଯାଜପୁର ଟାଉନ ଥାନା ଅଞ୍ଚଳରେ ବୋଲି ଚର୍ଚ୍ଚା ହେଉଛି ।
ଗୋଟିଏ ନିରୀହ ନିଷ୍ପାପ ଶିଶୁ ଭଲ କରି କଥା କହିବା ତ ଦୂରର କଥା ଭଲ କରି ବସି ବି ଶିଖି ନ ଥିବ ବୋଧେ । କିନ୍ତୁ ତାକୁ ତାର ଜେଜେବାପା ବିଡ଼ି ପିଆଉଥିବାର ଭିଡ଼ିଓରେ ଦେଖାଯାଇଛି । ବାରମ୍ବାର ଜଳନ୍ତା ବିଡ଼ିକୁ ତା ପାଟିରେ ପୁରାଉଛନ୍ତି । ଏମିତିକି ଶିଶୁଟି କାଶି କାଶି ତା ଆଖିରୁ ଲୁହ ମଧ୍ୟ ବାହାରିଲାଣି ତଥାପି ଜେଜେ ବାପାଙ୍କ ହରକତ ବନ୍ଦ ହେଉନି । ଏମିତି ଶିଶୁର ମାଆ ଭିଡ଼ିଓ କରି ମଜା ନେଉଛି । ଆଉ ମାଆ ଅତି ଖୁସି ହୋଇ କହୁଛି, ‘ବାପା ଆଉ ଟିକେ ବିଡ଼ି ତା ପାଟିରେ ଦିଅ’ । ପିଲାର ଆଖିରୁ ଲୁହ ବାହାରି ଆସୁଥିଲେ ମଧ୍ୟ କାହାରି ମନରେ ଟିକେ ଦୟା ଆସୁନି । ଏହି ସାମାନ୍ୟ ବିଡ଼ି ଛୁଆ କେଉଁ ଭଳି ବିପଦକୁ ନେଇ ଯାଇପାରେ ତାହା ମଧ୍ୟ କେହି ଚିନ୍ତା କରୁ ନ ଥିବା ଭିଡ଼ିଓରେ ଦେଖାଯାଉଛି । ଆଉ ଏହି ଭିଡ଼ିଓ ଏବେ ଭାଇରାଲ ହେବା ପରେ ବୁଦ୍ଧି ଜୀବିମାନେ ନିନ୍ଦା କରିଛନ୍ତି ।
ସେପଟେ ଏହା ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର । ଏହା ନିମୋନିଆର ମଧ୍ୟ କାରଣ ହୋଇପାରେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ଏକ ବଡ଼ ଅପରାଧ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର । ଏହା ଏକ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା । ଏହା ସହିତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ।