ଭୁବନେଶ୍ଵର: ଦରବୃଦ୍ଧି ପ୍ରତିବାଦରେ ଆଜି ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ। ଏହି ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୋହନ ମାଝୀଙ୍କ ସରକାରଙ୍କୁ ଏମଏମ ସରକାର ମାନେ ମହଙ୍ଗା ମାଡ଼ ସରକାର ବୋଲି କହିଛନ୍ତି ନବୀନ। ଆଉ ବିଜେଡିର ଆନ୍ଦୋଳନ ଓ ସମାଲୋଚନା ଉପରେ ଜବାବ ଦେଇଛି ବିଜେପି । ଦରବୃଦ୍ଧି ବିଜେଡି ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବୋଲି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ।
ସେ କହିଛନ୍ତି, ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିବା ସମୟରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ନିନ୍ଦା କରିଛି ବିଜେପି । ଓଡ଼ିଶାର ବିକାଶ ବିଜେଡି ଦେହରେ ଯାଉନି । ବିଜେପି ସରକାରର ସଫଳ ଶାସନ ଦେଖି ସହିପାରୁନି ବିଜେଡି । ଦରବୃଦ୍ଧି ସମସ୍ୟା ବିଜେପିକୁ ଉତ୍ତରାଧିକାରୀ ସୂତ୍ରରେ ଦେଇଛି ବିଜେଡି । ପୂର୍ବ ସରକାର କରିଥିବା ଆଳୁ, ପିଆଜ ମିଶନ ଫେଲ ହୋଇଥିଲା । ଅଧିକାଂଶ ସାମଗ୍ରୀ ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି । ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଜେପି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ଗତ ସରକାର ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଯାହା କରିପାରିଲାନି, ବିଜେପି ସରକାର ୬ମାସରେ କରି ଦେଖାଇଛି । ବିଜେଡି ସରକାର କହିଥିଲା ଧାନ ଉପରେ ୧୦୦ ଟଙ୍କା ବୋନସ ଦେବ, କିନ୍ତୁ ଦେଲା ନାହିଁ । ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ଚାଷୀଙ୍କୁ ୮୦୦ଟଙ୍କା ବୋନସ ଦେଲା । ମହିଳା ସଶକ୍ତିକରଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବିଜେଡି । କିନ୍ତୁ ବିଜେପି ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ସମ୍ମାନ ଦେଲା ବୋଲି କହିଛନ୍ତି ଗୋଲକ ମହାପାତ୍ର ।
-