ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ ଚିକିତ୍ସା ପାଇଁ ମଙ୍ଗଳବାର ଦିନ ଢାକାରୁ ଲଣ୍ଡନ ଅଭିମୁଖେ ବାହାରିଛନ୍ତି। ତାଙ୍କ ଜଣେ ପରାମର୍ଶଦାତା ଏହି ସୂଚନା ଦେଇଛନ୍ତି। ଖାଲିଦା ଜିଆ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଏୟାର ଆମ୍ବୁଲାନ୍ସଯୋଗେ ଲଣ୍ଡନ ଅଭିମୁଖେ ବାହାରିଥିଲେ।
ସୂଚନାଯୋଗ୍ୟ, ଖାଲିଦା ଜିଆ ୩ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ମଧ୍ୟ ଅଟନ୍ତି। ସେ ଢାକାର ହଜରଲ ଶାହାଜାଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରିବା ସମୟରେ ଦଳର ଅନେକ ନେତା ଉପସ୍ଥିତ ଥିଲେ।
ଖାଲିଦା ଜିଆ ଲିଭର ସିରୋସିସ୍, ହୃଦ୍ ରୋଗ ଓ କିଡନୀ ସମସ୍ୟାରେ ପୀଡ଼ିତ ଅଛନ୍ତି। ବାଂଲାଦେଶ ଏବେ ରାଜନୈତିକ ଅନିଶ୍ଚିତତାର ସମ୍ମୁଖୀନ ହୋଇଛି। ଶେଖ୍ ହସିନା ଏବଂ ଖାଲିଦା ଜିଆ ହେଉଛନ୍ତି ବାଂଲାଦେଶର ଦୁଇ ପ୍ରଭାବଶାଳୀ ନେତା।
ଛାତ୍ର ବିଦ୍ରୋହ ପରେ ଶେଖ୍ ହସିନା ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇସାରିଛନ୍ତି। ସେହିପରି ଖାଲିଦା ଜିଆ ମଧ୍ୟ ଲଣ୍ଡନ ଯାଇଛନ୍ତି। କିଛି ମାସ ପରେ ବାଂଲାଦେଶରେ ନିର୍ବାଚନ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଉଭୟ ଦଳର ରାଜନୈତିକ ଭବିଷ୍ୟତ କ'ଣ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାଂଲାଦେଶରେ ଅନ୍ତରୀଣ ସରକାର ଚଳାଉଥିବା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ନିର୍ବାଚନ କରିବାକୁ ବିଚାର କରୁଛନ୍ତି। ଶେଖ୍ ହସିନାଙ୍କ କାର୍ଯ୍ୟକାଳ ସମୟରେ ଖାଲିଦା ଜିଆଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।
ସେ ପ୍ରଧାନମନ୍ତ୍ରୀ ଥିବା ବେଳେ ଦୁଇଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ତାଙ୍କ ସମର୍ଥକମାନେ ଏହି ମାମଲାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। କିନ୍ତୁ ମହମ୍ମଦ ୟୁନୁସ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ତାଙ୍କୁ ଗୋଟିଏ ମାମଲାରେ ଦୋଷମୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ମାମଲାର ଶୁଣାଣି ମଙ୍ଗଳବାର ହୋଇଥିଲା।
ଶେଖ୍ ହସିନାଙ୍କ କାର୍ଯ୍ୟକାଳ ସମୟରେ ଖାଲିଦା ଜିଆଙ୍କୁ ଜାମିନ ମିଳିଥିଲା ଏବଂ ସେ ବାଂଲାଦେଶରେ ଚିକିତ୍ସିତ ହେଉଥିଲେ। ଅନେକ ଅନୁରୋଧ ସତ୍ତ୍ୱେ ଶେଖ୍ ହସିନାଙ୍କ ସରକାର ତାଙ୍କୁ ବିଦେଶରେ ଚିକିତ୍ସା କରାଇବାକୁ ଅନୁମତି ଦେଇନଥିଲେ। ଖାଲିଦା ଜିଆଙ୍କ ପାଇଁ ଗତକାଲି କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ୍ ବିନ୍ ଖଲିଫା ଅଲ୍ ଥାନି ଏକ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସ ପଠାଇଥିଲେ। ଗୁଲସନ ଅଞ୍ଚଳରେ ଜିଆଙ୍କ ବାସଭବନ ବାହାରେ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ। ଏହି କାରଣରୁ ଖାଲିଦା ଜିଆଙ୍କ ଗାଡ଼ିକୁ ବିମାନବନ୍ଦରକୁ ୧୦ କିଲୋମିଟର ଯିବାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ବାସଭବନରୁ ବିମାନବନ୍ଦର ପର୍ଯ୍ୟନ୍ତ ତାଙ୍କ ଯାତ୍ରା ଟିଭିରେ ସିଧା ପ୍ରସାରଣ କରାଯାଇଥିଲା।
ଅଧିକ ପଢ଼ନ୍ତୁ: ଦ୍ବୀପରେ ଦୁର୍ଘଟଣାର ସାମ୍ନା କଲା ସି-ପ୍ଲେନ୍