ନୂଆଦିଲ୍ଲୀ: ନେପାଳ ସୀମାନ୍ତ ତିବ୍ବତରେ ମଙ୍ଗଳବାର ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ଏହି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୫୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହୁରି ଅନେକ ଭଗ୍ନାବଶେଷ ତଳେ ଚାପି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଏହା ସହିତ ବ୍ୟାପକ ଧନ ସମ୍ପତ୍ତି ମଧ୍ୟ କ୍ଷୟକ୍ଷତି ହୋଇଛି । ଏ ନେଇ ଚୀନର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ସକାଳ ପ୍ରାୟ ସାଢ଼େ ୬ ଟା ବେଳକୁ ଭୂକମ୍ପ ହୋଇଛି । ଯାହାର କେନ୍ଦ୍ର ସ୍ଥଳ ତିବ୍ବତର ଶିଜାଙ୍ଗରେ ରହିଥିଲା । ମାତ୍ର ଏକ ଘଣ୍ଟା ମଧ୍ୟରେ ଲଗାତର ୬ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ଏତେ ଶକ୍ତିଶାଳୀ ଥିଲା ଯେ ମାତ୍ର ୧୭ ସେକେଣ୍ଡ ମଧ୍ୟରେ ବଡ଼ ବଡ଼ କୋଠା ଭୁଷୁଡ଼ି ପଡ଼ିଛି ।
ନେପାଳର କାଠମାଣ୍ଡୁ, ବାଂଲାଦେଶ ଏବଂ ଭାରତରେ ମଧ୍ୟ କେତେକ ରାଜ୍ୟ ଏହି ଭୂକମ୍ପରେ ଥରି ଉଠିଥିବା ଜଣାପଡ଼ିଛି । ବିହାର (ପାଟନା, ମୁଜାଫରପୁର, ସମସ୍ତୀପୁର, ମୋତିହାରୀ, ବେଗୁସରାୟ, ମୁଙ୍ଗେର, ଶିବହର ଓ ସାରଣ), ପଶ୍ଚିମବଙ୍ଗର ମାଲଦା, ଆସାମ ଏବଂ ସିକିମ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ଭୟରେ ଲୋକମାନେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ମାତ୍ର ଭାରତରେ କାହାର କୌଣସି କ୍ଷତି ହୋଇ ନ ଥିବା ଜଣାପଡ଼ିଛି ।
୨୦୧୫ ନେପାଳରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୮ ମାଗ୍ନିଚ୍ୟୁଡ୍ ଥିଲା । ଏଥିରେ ୯,୦୦୦ ଲୋକ ପ୍ରାଣ ହରାଇଥିବାବେଳେ ୨୨,୦୦୦ ଲୋକ ଆହତ ହୋଇଥିଲେ ।