ଓଟାୱା: ସବୁ ଆଲୋଚନା ପର୍ଯ୍ୟାଲୋଚନାର ପରିସମାପ୍ତି ଘଟିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଶେଷରେ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ରିବେରାଲ ପାର୍ଟିର ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେବାକୁ ସୋମବାର ଘୋଷଣା କରିଛନ୍ତି । ନୂଆ ନେତା ଚୟନ ହେବା ଯାଏଁ ସେ ଦାୟିତ୍ୱରେ ରହି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କାନାଡ଼ାର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଜାନୁୟାରୀ ୨୭ ତାରିଖରେ ସଂସଦର ଅଧିବେଶନ ଆରମ୍ଭ ହେବାକୁଥିବାବେଳେ ତାହାକୁ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଅଧିବେଶନ ସ୍ଥଗିତ ରଖାଯାଇଛି । ଏହାରି ମଧ୍ୟର ଲିବେରାଲ ପାର୍ଟି ନିଜର ନୂଆ ନେତା ଚୟନ କରିବ ।
ଜଷ୍ଟିନ ଟ୍ରୁଡୋ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏ ଦେଶ ଆଗାମୀ ନିର୍ବାଚନରେ ଏକ ବାସ୍ତବିକ ବିକଳ୍ପର ହକଦାର ଅଟେ । ଯଦି ମୋତେ ଦଳ ଭିତରେ ଲଢେଇ କରିବାକୁ ପଡ଼ୁଛି ତାହା ହେଲେ ମୁଁ ସେ ନିର୍ବାଚନରେ ସବୁଠାରୁ ଭଳ ବିକଳ୍ପ ହୋଇ ପାରିବି ନାହିଁ । ଗୋଟିଏ ନୂଆ ପ୍ରଧାନମନ୍ତ୍ରୀ ଏବଂ ରିବେରାଲ ପାର୍ଟିର ନେତା ଆଗାମୀ ନିର୍ବାଚନରେ ନିଜର ଗୁରୁତ୍ୱ ଓ ଆଦର୍ଶକୁ ନେଇ ଆଗକୁ ବଢ଼ିବେ । ଆଗାମୀ ଦିନରେ ଏହି ପ୍ରକ୍ରିୟା ଦେଖିବାକୁ ଉତ୍ସାହିତ ଅଟେ । ଏହା ସତ୍ୟ ଯେ ଏହା ଉପରେ ଅନେକ କାମ କରିବା ପରେ ମଧ୍ୟ ସଂସଦର ମାସ ମାସ ଧରି ପଙ୍ଗୁ ହୋଇ ପଡ଼ିଛି ।
୫୩ ବର୍ଷୀୟ ଜଷ୍ଟିନ ଟ୍ରୁଡୋ ୨୦୧୩ରେ ଲିବରାଲ ନେତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଯେତେବେଳେ ଦଳ ଗଭୀର ସଙ୍କଟରେ ଥିଲା ଏବଂ ପ୍ରଥମ ଥର ପାଇଁ ହାଉସ୍ ଅଫ୍ କମନ୍ସରେ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଦୀର୍ଘ ୧୧ ବର୍ଷ ଧରି ଲିବେରାଲ ପାର୍ଟିର ନେତା ରହିଥିବାବେଳେ ୯ ବର୍ଷ ଧରି କାନାଡ଼ାର ପ୍ରଧାନମନ୍ତ୍ରୀ ଥିଲେ । ୧୦ ବର୍ଷ ଧରି କନଞ୍ଜରଭେଟିଭ୍ ପାର୍ଟିର ଶାସନ ପରେ କାନାଡ଼ାର ଶାସନଭାର ସମ୍ଭାଳିଥିଲେ ଟ୍ରୁଡୋ ।