ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ସମୁଦାୟ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସେଠାକାର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଭାରତ ସହିତ ତିକ୍ତତା ଦିନକୁ ଦିନ ବଢିବାରେ ଲାଗିଛି । ହିନ୍ଦୁ ସଂଖ୍ୟାଲଘୁ ଉପରେ ଆକ୍ରମଣକୁ ନେଇ ୟୁନୁସ ସରକାର ଉପରେ ଲଗାତାର ପ୍ରଶ୍ନ ଉଠୁଛି । ମାତ୍ର ତାଙ୍କ ସରକାର ସବୁ ଅଭିଯୋଗକୁ ଖଣ୍ଡନ କରି ଚାଲିଛନ୍ତି । ଏହା ମଧ୍ୟରେ ବାଂଲାଦେଶ ଏବେ ଯୁଦ୍ଧ ଅଭ୍ୟାସ କରୁଛି। ମହମ୍ମଦ ୟୁନୁସ ଚଟ୍ଟଗାଓଁ ସ୍ଥିତ ମିଲିଟାରୀ ଟ୍ରେନିଂ କ୍ୟାମ୍ପରେ ବାଂଲାଦେଶ ସେନାର ଯୁଦ୍ଧାଭ୍ୟାସରେ ଯୋଗ ଦେଇଛନ୍ତି ।
ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶ ଚଟଗାଓଁରେ ଟ୍ୟାଙ୍କ, ହେଲିକପ୍ଟର, ଓ ତୋପ ନେଇ ଯୁଦ୍ଧ ଅଭ୍ୟାସ କରୁଛି ବାଂଲାଦେଶ। ତେବେ ବାଂଲାଦେଶ କାହା ସହ ଯୁଦ୍ଧ କରିବ, କାହିଁକି ଯୁଦ୍ଧ ପ୍ରସ୍ତୁତି କରୁଛି ସେ ନେଇ କିଛି ଚିତ୍ର ସ୍ପଷ୍ଟ ହୋଇ ନାହିଁ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବାଂଲାଦେଶ ଯୁଦ୍ଧାଭ୍ୟାସ କରି ନିଜର ସୈନ୍ୟ ଶକ୍ତି ଦେଖାଇବାକୁ ଚେଷ୍ଟା କରୁଛି। ଯଦ୍ୱାରା ଅନ୍ତର୍ଜାତୀୟ ଚାପ ଓ ସମାଲୋଚକଙ୍କ ମଧ୍ୟରେ ନିଜର ସ୍ଥିତି ମଜବୁତ କରିବାକୁ ଚାହାନ୍ତି ମହମ୍ମଦ ୟୁନୁସ ।
ଢାକା ଟ୍ରିବ୍ୟୁନାଲର ରିପୋର୍ଟ ଅନୁଯାୟୀ, ୟୁନୁସ ନିଜର ସମ୍ବୋଧନରେ କହିଛନ୍ତି ଯେ, ଯୁଦ୍ଧାଭ୍ୟାସ ବାସ୍ତବିକ ଯୁଦ୍ଧ ପ୍ରସ୍ତୁତି ପାଇଁ ଗୁରୁତ୍ୱପୂର୍ଣ୍ଣ । ସେନାର ମୁଖ୍ୟ ଲକ୍ଷ୍ୟ ଯେ କୌଣସି ପ୍ରକାର ସ୍ଥିତିରେ ଦେଶର ରକ୍ଷା କରିବା ଓ ବିଜୟ ସୁନିଶ୍ଚିତ କରିବା । ଆମେ ଶାନ୍ତିର ପକ୍ଷଧର, ମାତ୍ର ଯେବେ ସାର୍ବଭୌମତ୍ୱ ଓ ସ୍ୱାଧୀନତାର ପ୍ରଶ୍ନ ଉଠେ ଆମକୁ ସବୁ ପ୍ରକାରର ଚ୍ୟାଲେଞ୍ଜର ସାମ୍ନା ପାଇଁ ପ୍ରସ୍ତୁତ ହେବାକୁ ପଡିବ ।
ଏହି ଯୁଦ୍ଧାଭ୍ୟାସ ଅବସରରେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ, ବାୟୁସେନା ମୁଖ୍ୟ ମାର୍ଶଲ ହସନ ମହମୁଦ ଖାନ ଏବଂ ନୈସେନା ବାହିନୀର ମୁଖ୍ୟ ଆଡମିରାଲ ଏମ ନଜମୁଲ ହାସନ ଉପସ୍ଥିତ ଥିଲେ। ଏହି ସମୟରେ ମହମ୍ମଦ ୟୁନୁସ କହିଥିଲେ ସେନା ସବୁବେଳେ ପ୍ରସ୍ତୁତ ରହିଛି।
ୟୁନୁସଙ୍କ ଏହି ବୟାନ ଏମିତି ସମୟରେ ଆସିଛି, ଯେବେ ସରକାରଙ୍କ ଉପରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି । ୟୁନୁସ ସରକାର ଦେଶରେ ହିନ୍ଦୁ ସମୁଦାୟର ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ଥିବା ଅଭିଯୋଗ ହୋଇଛି । ସବୁ ଅଭିଯୋଗକୁ ୟୁନୁସ ସରକାର ଖଣ୍ଡନ କରି ଆସିଛନ୍ତି ।