ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ନୂଆବର୍ଷ ଦିନ ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପରଜଙ୍ଗ ପୋଲିସ। ଲୋମ ଟାଙ୍ଗୁରା ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ଏସପି ଅଭିନବ ସୋନକର ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ।
ନୂଆ ବର୍ଷର ପ୍ରଥମ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ରକ୍ତ ରଞ୍ଜିତ ହୋଇଥିଲା ବସୋଇ ଗାଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ ସେହି ଗାଁର ରାକେଶ ସେଠିଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ତେବେ ମକୁ ପ୍ରଥମେ ଏକ ବାଉଁଶ ଠେଙ୍ଗାରେ ରାକେଶକୁ ଆକ୍ରମଣ କରିବା ସହ ଲଙ୍ଗଳ ଲୁହାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଗାଁ ଦାଣ୍ଡରେ ଫୋପାଡ଼ିଥିଲା ଅଭିଯୁକ୍ତ ମକୁ । ହେଲେ ସବୁଠାରୁ ହୃଦୟ ବିଦାରକ ଥିଲା ଗାଁ ଖୁଣ୍ଟରେ ବଳି ଦେବାର ଦୃଶ୍ୟ।
ପୋଲିସ ପାଇଁ ଏହା ଥିଲା ବଡ଼ ଚ୍ୟାଲେଞ୍ଜ । ପରଜଙ୍ଗ ଥାନା ଅଧିକାରୀ ପ୍ରିୟବ୍ରତ ଦାଶଙ୍କ ନେତୃତ୍ୱରେ ୩ଟି ଟିମ ଅଭିଯୁକ୍ତକୁ ଧରିବା ପାଇଁ ଲାଗି ପଡ଼ିଥିଲେ। ଶେଷରେ ଧରା ହେଲା ଅଭିଯୁକ୍ତ ମକୁ। ଗତକାଲି ମକୁକୁ ନେଇ ପୋଲିସ ସିନ ରିକ୍ରିଏସନ କରିବା ସହ ଆଜି ଢେଙ୍କାନାଳ ଏସପି ପ୍ରେସମିଟ କରି ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ।