ନୂଆଦିଲ୍ଲୀ: ଲଦାଖରେ ବାୟୁସେନାର ଲଢୁଆ ବିମାନଚଳାଚଳ ପାଇଁ ତୃତୀୟ ଏୟାରଫିଲ୍ଡରେ ପରୀକ୍ଷଣ ଚାଲିଛି। ନ୍ୟୁମା ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଏୟାରଫିଲ୍ଡରେ ପରିଣତ କରିବା ପରେ ବାୟୁସେନା ଏଥିରେ ପରୀକ୍ଷଣ ଆରମ୍ଭ କରିଛି। କିଛି ଦିନ ତଳେ ବାୟୁସେନାର ସି-୧୩୦ଜେ ସୁପର ହର୍କୁଲିସ୍ ନୂଆ ରନୱେ ଉପରେ ଉଡ଼ି ଲ୍ୟାଣ୍ଡିଂ ସର୍କିଟ୍ ଶେଷ କରିଥିଲା। ଏଥିରେ ବିମାନର ଲ୍ୟାଣ୍ଡିଂ ଗିଅର ଖୋଲି ଏୟାରଷ୍ଟ୍ରିପ୍କୁ ସ୍ପର୍ଶ ନକରି ଉଡ଼ାଣ ଭରିଥିଲା। ଯେକୌଣସି ଏୟାରଫିଲ୍ଡର ପରୀକ୍ଷଣର ଭିନ୍ନ ଭିନ୍ନ ପର୍ଯ୍ୟାୟ ରହିଛି। ବାୟୁସେନା ସବୁ ପ୍ରକାର ପରୀକ୍ଷଣ ଶେଷ କରିବା ପରେ ଏଠାରୁ ନିଜର ଉଡ଼ାଣ ଆରମ୍ଭ କରିପାରିବ।
ନ୍ୟୁମା ଏୟାରଫିଲ୍ଡ ସମ୍ପୂର୍ଣ୍ଣ ସକ୍ରିୟ ହେବା ପରେ ଲଦାଖରୁ ଲଢୁଆ ଅପରେସନ ପାଇଁ ଏହା ବାୟୁସେନାର ତୃତୀୟ ବେସ୍ ହେବ। ନୟୋମାରେ ଏକ ଅତ୍ୟାଧୁନିକ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଥିଲା, ଯାହାକୁ ହେଲିକପ୍ଟର ଏବଂ ପରିବହନ ବିମାନ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ଏଠାରେ ଏୟାରଫିଲ୍ଡ ନିର୍ମାଣ ହେତୁ ଏଠାରୁ ଲଢୁଆ ବିମାନ ମଧ୍ୟ ଉଡ଼ିପାରିବ। ୨୦୦ କୋଟି ଟଙ୍କା ବ୍ୟୟରେ ଏହାକୁ ବିକଶିତ କରାଯାଇଛି। ଏହା ଦ୍ୱାରା ବାୟୁସେନାର କ୍ଷମତା ବୃଦ୍ଧି ପାଇବ।
ଏହି ଏୟାରଫିଲ୍ଡ ବିଶ୍ୱର ସର୍ବୋଚ୍ଚ ଏୟାରଫିଲ୍ଡ ମଧ୍ୟରୁ ଅନ୍ୟତମ। ସେପ୍ଟେମ୍ବର ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଶିଳାନ୍ୟାସ କରିଥିଲେ। ନ୍ୟୋମା ୧୩,୭୦୦ ଫୁଟ ଉଚ୍ଚତାରେ ରହିଛି ଏବଂ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଏୟାରଫିଲ୍ଡରେ ଅପଗ୍ରେଡ୍ କରିବା ଦ୍ୱାରା ଲଢୁଆ ବିମାନ ଚଳାଚଳ ପାଇଁ ଆଉ ଏକ ସ୍ଥାନ ମିଳୁଛି। ଏଠାରେ ରନୱେର ଲମ୍ବ ୨.୭ କିଲୋମିଟର ଏବଂ ଏହା ସମ୍ପୂର୍ଣ୍ଣ କଂକ୍ରିଟରେ ନିର୍ମିତ। ବର୍ତମାନ ଲେହ ଓ ଥୋଇସରେ ଏଭଳି ଏୟାରବେସ ରହିଛି।
ଉନ୍ନତୀକରଣ ପୂର୍ବରୁ ଏହି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ମାଟିରେ ନିର୍ମିତ ହୋଇଥିବାରୁ ଏଠାରୁ ଲଢୁଆ ବିମାନ ଉଡ଼ାଣ କରିବା କଷ୍ଟକର ଥିଲା। କିଛି ପରିବହନ ବିମାନ ଏବଂ ହେଲିକପ୍ଟର ପାଇଁ ଏହା ବ୍ୟବହୃତ ହେଉଥିଲା। ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବା ବେଳେ ଏହି ଅବତରଣ ସ୍ଥଳଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ସୈନ୍ୟ ମୁତୟନ ଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ବ୍ୟବହାର କରାଯାଉଥିଲା।