ଭୁବନେଶ୍ୱର: ରାଜଧାନୀରେ ଆଜିଠୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ମେଳା ଆଜି ଠୁ ଆରମ୍ଭ ହୋଇ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି ।
ଏଥର ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀ ଗାଁ, ଆଦିବାସୀ ହାଟ, କଳା ସଂସ୍କୃତିର ଷ୍ଟଲ, ଫୁଡକୋଟ୍, ଲାଇଭ ଡେମୋନଷ୍ଟେସନ ଆଦି ଦେଖିବାକୁ ମିଳିବ । ଚଳିତବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ ସ୍ଥାନ ପାଇଛି । ସେହିପରି ଆଦିବାସୀ ସାମଗ୍ରୀ ବିକ୍ରି କରିବାକୁ ୧୪୭ଟି ଷ୍ଟଲ ରହିଛି । ଏଥିପାଇଁ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିବ । ୧୫ଟି ଷ୍ଟଲରେ ଲାଇଭ ଡେମୋନଷ୍ଟେସନ କରାଯିବ । ପ୍ରତ୍ୟେକ ସନ୍ଧ୍ୟାରେ ଆଦିବାସୀ ନୃତ୍ୟ, ସଙ୍ଗୀତ ପ୍ରଦର୍ଶିତ ହେବ ।