ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ଆଉ ଦୁଇ ମାସରୁ କମ ସମୟ ରହିଛି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ନିୟମ ଅନୁଯାୟୀ, ଜାନୁଆରୀ ୧୨ ତାରିଖ ପୂର୍ବରୁ ସମସ୍ତ ବୋର୍ଡ ନିଜର ଦଳ ଘୋଷଣା କରିବେ । ଏହି ହିସାବରେ ବିସିସିଆଇକୁ ଶୀଘ୍ର ଦଳ ଘୋଷଣା କରିବାକୁ ପଡିବ । ରିପୋର୍ଟ ଅନୁଯାୟୀ, ବିସିସିଆଇ ଜାନୁଆରୀର ଦ୍ଵିତୀୟ ସପ୍ତାହରେ ଦଳ ଘୋଷଣା କରିପାରେ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ଭେଟିବ। ହାଇବ୍ରିଡ ମଡେଲ୍ ଆଧାରରେ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଏହି ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମାଙ୍କ, ବିରାଟ କୋହଲି, ଯଶପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କ ପରି ବରିଷ୍ଠ ଖେଳାଳି ଖେଳିବା ନିଶ୍ଚିତ ଲାଗୁଛି ।
ସ୍ପୋର୍ଟ୍ସତକରେ ପ୍ରକାଶିତ ଖବର ଅନୁଯାୟୀ, ବିସିସିଆଇ ଜାନୁଆରୀ ୧୧ ତାରିଖରେ ଭାରତୀୟ ଦଳ ଘୋଷଣା କରିପାରେ। ତେବେ ଏହାକୁ ନେଇ ଅଦ୍ୟାବଧି କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ୧୨ ପୂର୍ବରୁ ସବୁ ବୋର୍ଡ ନିଜର ଖେଳାଳିଙ୍କ ତାଲିକା ଆଇସିସିକୁ ଦେବେ ।
ଚାମ୍ପିଅନ୍ସ ଟ୍ରଫିରେ ଅଂଶ ଗ୍ରହଣ କରୁଥିବା ୮ଟି ଦଳ ମଧ୍ୟରୁ ସର୍ବପ୍ରଥମେ ଇଂଲଣ୍ଡ ନିଜର ଦଳ ଘୋଷଣା କରି ସାରିଛି। ଜୋସ ବଟଲର ଦଳର ନେତୃତ୍ଵ ନେଉଥିବା ବେଳେ ଫିଲିପ ସଲ୍ଟ ଓ ମାର୍କ ଉଡଙ୍କ ପରି ତାରକା ଖେଳାଳି ଆଶା ଅନୁରୂପ ଦଳରେ ସ୍ଥାନ ପାଇଛନ୍ତି। ଆହତ କାରଣରୁ ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ବାଦ୍ ପଡିଛନ୍ତି । ଇଂଲଣ୍ଡ ପରେ ଏବେ ବାକି ଦଳଗୁଡ଼ିକ ଶୀଘ୍ର ନିଜର ଦଳ ଘୋଷଣା କରିବେ।
ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର କ୍ରୀଡାସୂଚୀ
ଫେବୃଆରୀ ୨୦- ଭାରତ ବନାମ ବାଂଲାଦେଶ
ଫେବୃଆରୀ ୨୩- ଭାରତ ବନାମ ପାକିସ୍ତାନ
ମାର୍ଚ୍ଚ ୨- ଭାରତ ବନାମ ନ୍ୟୁଜିଲାଣ୍ଡ
ମାର୍ଚ୍ଚ ୯- ଫାଇନାଲ୍ ମ୍ୟାଚ୍