ସିଡନୀ: ଭାରତୀୟ ଦଳର ଚିନ୍ତା ସେତେବେଳେ ଅଚାନକ ବଢିଗଲା ଯେତେବେଳେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସରିବା ପୂର୍ବରୁ ଯଶପ୍ରୀତ ବୁମରା ପଡିଆ ଛାଡି ହସ୍ପିଟାଲରେ ପହଞ୍ଚିଥିଲେ । ବୁମରା ଏହି ସିରିଜରେ ଜଣେ ଯୋଦ୍ଧା ପରି ଦଳ ପାଇଁ ଲଢୁଛନ୍ତି । ଏହି କାରଣରୁ ସିରିଜରେ ଘରୋଇ ଅଷ୍ଟ୍ରେଲିଆକୁ ଟକ୍କର ଦେଇ ପାରୁଛି ଭାରତ । ଏମିତିରେ ବୁମରାଙ୍କୁ ଆଘାତ ଲାଗିବା ଭାରତୀୟ ଦଳ ପାଇଁ ସବୁଠୁ ବଡ ଚିନ୍ତାର ବିଷୟ । ହେଲେ କେହି ଜାଣି ପାରି ନାହାନ୍ତି ନାହିଁ ଯେ, ବୁମରାଙ୍କୁ କେବେ ଏବଂ କେଉଁଠି ଆଘତ ଲାଗିଛି । କିନ୍ତୁ ଦ୍ୱିତୀୟ ଦିନର ଖେଳ ସରିବା ପରେ ସାଥୀ ବୋଲର ପ୍ରସିଦ୍ଧ କୃଷ୍ଣା ବୁମରାଙ୍କ ଆହତକୁ ନେଇ ସୂଚନା ଦେଇଛନ୍ତି ।
ଦ୍ୱିତୀୟ ଦିନର ଖେଳ ଶେଷ ପରେ କୃଷ୍ଣା କହିଛନ୍ତି ଯେ, ଯଶପ୍ରୀତ ବୁମରାଙ୍କ ପିଠିରେ ଆଘାତ ଲାଗିଛି । ମେଡିକାଲ୍ ଟିମ ଶୀଘ୍ର ସ୍ଥିତି ବିଷୟରେ ଅଧିକ ସୂଚନା ଦେବେ । ଦ୍ୱିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପରେ ବୁମରା ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ । ଏହା ପରେ ସେ ପଡିଆ ଛାଡି ଚାଲି ଯାଇଥିଲେ ।ପୁଣି ବୁମରାଙ୍କୁ ଅଭ୍ୟାସ ଜର୍ସି ପିନ୍ଧି ପଡିଆରୁ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା । ପରେ ବୁମରାଙ୍କ ହସ୍ପିଟାଲ୍ ଯିବା ଭିଡିଓ ସାମ୍ନାକୁ ଆସିଥିଲା । ଏହି ଖବର ଶୁଣି ଭାରତୀୟ ଦଳ ଓ କ୍ରିକେଟ୍ ପ୍ରେମୀଙ୍କୁ ଝଟକା ଲାଗିଛି ।
ବୁମରା ମ୍ୟାଚର ତୃତୀୟ ଦିନରେ ପଡିଆକୁ ଓହ୍ଲାଇବେ କି ନାହିଁ ଏଥିପାଇଁ ବିସିସିଆଇର ଅପଡେଟକୁ ଅପେକ୍ଷା କରିବାକୁ ପଡିବ । ବୁମରାଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ନୀତିଶ ରେଡ୍ଡୀ ଅଷ୍ଟ୍ରେଲିଆ ଇନିଂସକୁ ୧୮୧ ରନରେ ଅଲଆଉଟ୍ କରିଥିଲେ । ସିରାଜ ଓ କୃଷ୍ଣାଙ୍କୁ ୩-୩ ୱିକେଟ୍ ମିଳିଥିବା ବେଳେ ବୁମରା ଓ ରେଡ୍ଡୀଙ୍କୁ ଦୁଇଟି ଲେଖାଏଁ ସଫଳତା ମିଳିଥିଲା । ଭାରତ ପ୍ରଥମ ଇନିଂସରେ ଘରୋଇ ଦଳଠୁ ୪ ରନର ଅଗ୍ରଣୀ ହାସଲ କରିଛି ।