ସିଡ୍ନୀ: ବୋର୍ଡର-ଗାଭାସ୍କର ଟ୍ରଫି (ବିଜିଟି ୨୦୨୪-୨୫)ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ୍ (ଏସ୍ସିଜି)ରେ ଶୁକ୍ରବାର ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ଉପରେ କଙ୍ଗାରୁ ଟିମ୍ ପ୍ରଭାବ ଦେଖାଇଛି। ଅତିଥି ଟିମ୍କୁ ଘରୋଇ ଦଳ ପ୍ରଥମ ପାଳିରେ ୧୮୫ ରନ୍ରେ ଅଲ୍ଆଉଟ୍ କରିଛି। ଅଷ୍ଟ୍ରେଲିଆର ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଛନ୍ତି। ମିଚେଲ ଷ୍ଟାର୍କ ୩ଟି, ଅଧିନାୟକ ପେଟ୍ କମିନ୍ସ ୨ଟି ଓ ନାଥନ ଲାୟନ ଗୋଟିଏ ୱିକେଟ୍ ନେଇଛନ୍ତି।
ଟସ୍ ଜିଣି ଭାରତ ବ୍ୟାଟିଂ କରିଥିଲା। ଅଧିନାୟକ ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଖେଳାଯାଉଥିବା ଭାରତୀୟ ଟିମ୍ ବିପର୍ଯ୍ୟୟର ସାମ୍ନା କରିଥିଲା। ଭାରତର ବ୍ୟାଟିଂ ଆରମ୍ଭରୁ ଖରାପ ଥିଲା। ଭାରତ ପାଇଁ ଋଷଭ ପନ୍ତ ସର୍ବାଧିକ ୪୦ ରନ୍ ସଂଗ୍ରହ କରିଥିବା ବେଳେ ରବୀନ୍ଦ୍ର ଜାଦେଜା ୨୬ ରନ୍, ଯଶପ୍ରୀତ ବୁମରା ୨୨ ରନ୍ ଓ ଶୁଭମନ ଗିଲ୍ ୨୦ ରନ୍ ସଂଗ୍ରହ କରିଥିଲେ।
ଟିମ୍ ଇଣ୍ଡିଆରେ ଆଗଧାଡ଼ିର ବ୍ୟାଟର ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ ଓ ବିରାଟ କୋହଲି ଦର୍ଶକ ଓ ପ୍ରଶଂସକଙ୍କୁ ନିରାଶ କରିଥିଲେ। ଜୟସ୍ବାଲଙ୍କ ବ୍ୟାଟ୍ରୁ ୧୦ ରନ୍, କେଏଲ୍ ରାହୁଲ ୪ ରନ୍ ଓ ବିରାଟ କୋହଲି ୧୭ ରନ୍ ସଂଗ୍ରହ କରିଥିଲେ। ନୀତୀଶ କୁମାର ରେଡ୍ଡୀ ପୁଣି ନିରାଶ କରିଥିଲେ। ସେ ଖାତା ନଖୋଲି ପାଭଲିଅନକୁ ଫେରି ଆସିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ୩ ରନ୍ ସଂଗ୍ରହ କରିଥିଲେ।
ଅଷ୍ଟ୍ରେଲିଆ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ରହିଛି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୃଷ୍ଟିକୋଣରୁ ଉଭୟ ଦଳ ପାଇଁ ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନର ବଡ ବିଜୟ ହାସଲ କରିଥିଲା।
ପୂରା ସିରିଜକୁ ଦେଖିଲେ ପର୍ଥ ଟେଷ୍ଟରେ ଯଶପ୍ରୀତ ବୁମରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୯୫ ରନର ବିଶାଳ ବିଜୟ ହାସଲ କରିଛି । ଏହାପରେ ଆଡିଲେଡ୍ ପିଙ୍କ୍ ବଲ୍ ଟେଷ୍ଟ୍ ଆସିଥିଲା, ଯେଉଁଥିରେ କଙ୍ଗାରୁମାନେ ନିଜର ରାଜତ୍ୱ ବଜାୟ ରଖି ୧୦ ୱିକେଟ୍ରେ ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ଯଶପ୍ରୀତ ବୁମରା ଓ ଆକାଶଦୀପ ଭଲ ବ୍ୟାଟିଂ କରି ଭାରତକୁ ଫଲୋଅନ୍ ଖେଳିବାରୁ ବଞ୍ଚାଇଥିଲେ। ମେଲବର୍ଣ୍ଣରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍ ରେ ବିଜୟୀ ହୋଇ ସିରିଜ୍ ରେ ୨-୧ରେ ଆଗୁଆ ରହିଥିଲା।
ଅଧିକ ପଢ଼ନ୍ତୁ: କୋହଲିଙ୍କ କ୍ୟାଚ୍ ନେଇ ଏମିତି ନିଷ୍ପତ୍ତି ନେଲେ ଅମ୍ପାୟାର