ସିଡ୍ନୀ: ବୋର୍ଡର-ଗାଭାସ୍କର ଟ୍ରଫି (ବିଜିଟି ୨୦୨୪-୨୫)ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ୍ (ଏସ୍ସିଜି)ରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଜାନୁଆରୀ ୩ ତାରିଖ ସକାଳ ୫ଟାରୁ ଖେଳାଯାଉଛି। ଟସ୍ ଜିଣି ଭାରତ ବ୍ୟାଟିଂ ଜାରି ରଖିଛି। ଅଧିନାୟକ ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଖେଳାଯାଉଥିବା ଭାରତୀୟ ଟିମ୍ ବିପର୍ଯ୍ୟୟର ସାମ୍ନା କରିଛି। ଭାରତ ୭ଟି ୱିକେଟ୍ରେ ୧୪୪ ରନ୍ ସଂଗ୍ରହ ହୋଇଛି।
ଭାରତ ପାଇଁ ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ୧୦ ରନ୍, କେଏଲ୍ ରାହୁଲ ୪ ରନ୍ ଓ ଶୁଭମନ୍ ଗିଲ୍ ୨୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଛନ୍ତି। ସେହିପରି ଭାରତ ଆଶା ବିରାଟ କୋହଲି ୧୭ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ୨୬ ରନ୍, ଋଷଭ ପନ୍ତ ୪୦ ରନ୍ କରିଥିବା ବେଳେ ନୀତୀଶ ରେଡ୍ଡୀ ଖାତା ଖୋଲିପାରି ନଥିଲେ। ୱାଶିଂଟନ୍ ସୁନ୍ଦର ଓ ପ୍ରସିଦ୍ଧ କ୍ରିଷ୍ଣା କ୍ରିଜ୍ରେ ଅଛନ୍ତି। ଭାରତ ପୁଣି ଥରେ ମେଲବର୍ଣ୍ଣ ଭଳି ବ୍ୟାଟିଂ କ୍ଷେତ୍ରରେ ବିପର୍ଯ୍ୟୟ ଆଡ଼କୁ ଗତି କରୁଥିବା ପରିଲକ୍ଷିତ ହେଉଛି।
ଅଷ୍ଟ୍ରେଲିଆ ବର୍ତ୍ତମାନ ସିରିଜରେ ୨-୧ରେ ଆଗୁଆ ରହିଛି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଦୃଷ୍ଟିକୋଣରୁ ଉଭୟ ଦଳ ପାଇଁ ଫାଇନାଲ୍ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପୂର୍ବରୁ ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନର ବଡ ବିଜୟ ହାସଲ କରିଥିଲା।
ପୂରା ସିରିଜକୁ ଦେଖିଲେ ପର୍ଥ ଟେଷ୍ଟରେ ଯଶପ୍ରୀତ ବୁମରାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୯୫ ରନର ବିଶାଳ ବିଜୟ ହାସଲ କରିଛି । ଏହାପରେ ଆଡିଲେଡ୍ ପିଙ୍କ୍ ବଲ୍ ଟେଷ୍ଟ୍ ଆସିଥିଲା, ଯେଉଁଥିରେ କଙ୍ଗାରୁମାନେ ନିଜର ରାଜତ୍ୱ ବଜାୟ ରଖି ୧୦ ୱିକେଟ୍ ରେ ବିଜୟୀ ହୋଇଥିଲେ। ଏହି ମ୍ୟାଚରେ ଯଶପ୍ରୀତ ବୁମରା ଓ ଆକାଶଦୀପ ଭଲ ବ୍ୟାଟିଂ କରି ଭାରତକୁ ଫଲୋଅନ୍ ଖେଳିବାରୁ ବଞ୍ଚାଇଥିଲେ। ମେଲବର୍ଣ୍ଣରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍ ରେ ବିଜୟୀ ହୋଇ ସିରିଜ୍ ରେ ୨-୧ରେ ଆଗୁଆ ରହିଥିଲା।