ନୂଆଦିଲ୍ଲୀ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ୟୁଟ୍ୟୁବର ପତ୍ନୀ ଧନଶ୍ରୀ ବର୍ମାଙ୍କ ବୈବାହିକ ଜୀବନରେ ପଡ଼ିବାକୁ ଯାଉଛି ପୂର୍ଣ୍ଣଛେଦ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ନେଇ ଚର୍ଚ୍ଚା ଜୋର ଧରିଛି। ଧନଶ୍ରୀ ଓ ଚହଲଙ୍କ ମଧ୍ୟରେ ବୈବାହିକ ଜୀବନକୁ ନେଇ ଦୀର୍ଘ ସମୟ ହେବ ମନାନ୍ତର ଚାଲିଥିଲା। ଏହା ମଧ୍ୟରେ ଧନଶ୍ରୀଙ୍କ ସହ ସବୁ ଫଟୋ ଇନଷ୍ଟ୍ରାଗ୍ରାମରୁ ହଟାଇ ଦେଇଛନ୍ତି ଚହଲ। ଏହି ଖବରର ସତ୍ୟତା ରହିଥିବା ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟରୁ ପ୍ରକାଶ।
ଉଭୟଙ୍କ ଅଲଗା ହେବାର ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ହେଁ ଉଭୟ ପରସ୍ପରକୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। ପ୍ରଥମ ଥର ୨୦୨୩ରେ ଏହି ଖବର ସାମ୍ନାକୁ ଆସିଥିଲା। ଯେତେବେଳେ ଧନଶ୍ରୀ ନିଜର ଇନଷ୍ଟାଗ୍ରାମରୁ ‘ଚହଲ’ ସରନେମ ହଟାଇ ଦେଇଥିଲେ। ଏହାର ଗୋଟିଏ ଦିନ ପରେ ୟୁଜବେନ୍ଦ୍ର ଚହଲ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ ଯେ, ନୂଆ ଜୀବନ ଆରମ୍ଭ ହେଉଛି। କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହାକୁ ଗୁଜବ କହି ଖାରଜ କରିଥିଲେ। ପ୍ରଶଂସକଙ୍କୁ ଏମିତି ଗୁଜବ ଉପରେ ବିଶ୍ଵାସ ନ କରିବାକୁ ଅପିଲ୍ କରିଥିଲେ।
ଛାଡ଼ପତ୍ର ମାମଲା ସବୁ କିଛି କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଯଦି ଛାଡ଼ପତ୍ର ହୁଏ ତେବେ ଏହା ଧନଶ୍ରୀଙ୍କ ଉପରେ ନିର୍ଭର କରେ ଯେ ସେ ଚହଲଙ୍କଠୁ ସଂପତ୍ତି ଚାହାନ୍ତି କି ନାହିଁ। ଯଦି ସେ ଚାହିଁବେ କୋର୍ଟଙ୍କ ଦ୍ଵାରସ୍ଥ ହୋଇ ପାରିବେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକଙ୍କ କ୍ଷେତ୍ରରେ ଅର୍ଥକୁ ନେଇ କୌଣସି ବିବାଦ ନ ଥିଲା ସୂଚନାଯୋଗ୍ୟ, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ୨୦୨୦ ଡିସେମ୍ବର ୧୧ରେ ବିବାହ ହୋଇଥିଲେ।