ସିଡନୀ: ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟ । ଭାରତୀୟ ବୋଲର ଦମଦାର ବୋଲିଂ କରି ଅଷ୍ଟ୍ରେଲିଆକୁ ୧୮୧ ରନରେ ଅଲଆଉଟ୍ କରିବା ପରେ ଭାରତୀୟ ବ୍ୟାଟର ପୁଣି ନିରାଶ କରିଛନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୧୪୧ ରନ କରିଛି । ଦଳ ଅଷ୍ଟ୍ରେଲିଆଠୁ ୧୪୫ ରନ ଆଗରେ ରହିଛି । ଋଷଭ ପନ୍ତ ୬୧ ରନର ଧମାକାଦାର ଇନିଂସ ଖେଳିଥିବା ବେଳେ ରବୀନ୍ଦ୍ର ଜାଡେଜା ୮ ରନ ୱାଶିଂଟନ ସୁନ୍ଦର ୬ ରନ କରି କ୍ରିଜରେ ଅଛନ୍ତି । ଏବେ ଭାରତକୁ ଏହି ଦୁଇ ବୋଲିଂ ଅଲରାଉଣ୍ଡର ହିଁ ଭରସା । ମୋଟାମୋଟି ଭାରତ ଏବେ ମୁସ୍କିଲ ସ୍ଥିତିରେ ରହିଛି ।
ଗତକାଲିର ଖେଳ ୯/୧ରୁ ଖେଳ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ହେଲେ ଭାରତୀୟ ବୋଲର ଶାଣିତ ବୋଲିଂ କରି ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଟପ୍ ଅର୍ଡରରେ ଷ୍ଟିଭ ସ୍ମିଥ ୩୩ ରନର ଇନିଂସ ଖେଳି ପ୍ରସିଦ୍ଧ କୃଷ୍ଣାଙ୍କ ଶିକାର ହୋଇଥିଲେ । ଟ୍ରେଭିସ ହେଡ(୪)ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ମହମ୍ମଦ ସିରାଜ । କିନ୍ତୁ ପଦାର୍ପଣ ମ୍ୟାଚ୍ ଖେଳୁଥିବା ୱେବଷ୍ଟର ଅର୍ଦ୍ଧଶତକୀୟ ଇନିଂସ ଖେଳି ଅଷ୍ଟ୍ରେଲିଆର ସମ୍ମାନ ରଖିଥିଲେ । ଆଲେକ୍ସ କେରି ୨୧ ରନ ଓ ଅଧିନାୟକ ପାଟ୍ କମିନ୍ସ ୧୦ ରନ କରିଥିଲେ । ୱେବଷ୍ଟର ୫୭ ରନ କରି ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ୍ ହୋଇଥିଲା । ଆଉ ୪ ରନରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ବୋଲିଂରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ଦୁଇଟି ଲେଖାଏଁ ସଫଳତା ପାଇଥିବା ବେଳେ ଯଶପ୍ରୀତ ବୁମରା ଓ ନୀତିଶ ରେଡ୍ଡୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପରେ ଭାରତ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ଦୁଇ ଓପନର ଯଶସ୍ୱୀ ଜୟସ୍ୱାଲ ଓ କେଏଲ ରାହୁଲ ଦ୍ରୁତ ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଭାଗିଦାରୀରେ ୪୨ ରନ ଯୋଡିଥିଲେ । ବଡ ସଟ୍ ଖେଳିବାକୁ ଯାଇ କେଏଲ ରାହୁଲ ୧୩ ରନ କରି ଆଉଟ୍ ହୋଇଥିଲେ । ତାଙ୍କ ପରେ ଜୟସ୍ୱାଲ ୨୨ ରନ କରି ବୋଲାଣ୍ଡଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ସବୁଠୁ ବେଶି ନିରାଶ କରିଥିଲେ ବିରାଟ କୋହଲି । ସେ ପୁଣି ଥରେ ନିରାଶ କରି ମାତ୍ର ୬ ରନ କରି ଆଉଟ୍ ହୋଇଥିଲେ । ଗିଲ୍ ମଧ୍ୟ ବଡ ସଟ୍ ଖେଳିବାକୁ ଯାଇ(୧୩) ପାଭିଲିୟନ ଫେରିଥିଲେ । ୭୮ ରନରେ ୪ ବ୍ୟାଟରଙ୍କୁ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା ।
ଏହା ପରେ ଋଷଭ ପନ୍ତ କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୨୯ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ଭାରତ ଉପରୁ ଚାପ ହଟାଇବାକୁ ଚେଷ୍ଟା କରିଥିଲେ । ପନ୍ତ ୩୩ ବଲରୁ ୬ ଚୌକା ଓ ୪ ଛକା ସହ ୬୧ ରନରେ ଆଉଟ୍ ହୋଇଥିଲେ । ତାଙ୍କ ଆଉଟ୍ ପରେ ଭାରତ ପୁଣି ଥରେ ଚାପର ବଶବର୍ତ୍ତୀ ହୋଇଛି । ନୀତିଶ ରେଡ୍ଡୀ(୪) କ୍ରିଜରେ ତିଷ୍ଠି ପାରି ନାହାନ୍ତି । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ୍ ହରାଇ ୧୪୧ ରନ କରିଛି । ରବୀନ୍ଦ୍ର ଜାଡେଜା ୮ ରନ ୱାଶିଂଟନ ସୁନ୍ଦର ୬ ରନ କରି କ୍ରିଜରେ ଅଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ଘାତକ ବୋଲିଂ କରି ୪ ସଫଳତା ହାସଲ କରିଛନ୍ତି ।