ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ବିଜୟ ହିଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏକମାତ୍ର ସଫଳତା । ଏହା ବ୍ୟତୀତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ଅନେକ ସଂଘର୍ଷ କରିବାକୁ ପଡିଛି । ବିଶେଷ କରି ଗୌତମ ଗମ୍ଭୀର ହେଡ୍ କୋଚ୍ ହେବା ପରଠୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଖରାପ ହୋଇ ଚାଲିଛି । ୨୦୨୪ରେ ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ସେମିତି କିଛି ଖାସ୍ ନାହିଁ । ଫଳସ୍ୱରୂପ ତାଙ୍କୁ ସିଡନୀ ଟେଷ୍ଟରେ ବାହାରେ ବସିବାକୁ ପଡିଛି । ଏବେ ମିଡିଆ ରିପୋର୍ଟ ଅନୁସାରେ ବିସିସିଆଇ ଏବେଠୁ ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ବିକଳ୍ପ ଖୋଜିବା ଆରମ୍ଭ କରି ଦେଇଛି ।
ଟି-୨୦ ବିଶ୍ୱକପ୍ ଜିତିବା ସହ ରୋହିତ ଶର୍ମା ଟି-୨୦ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ । ଏବେ ଟେଷ୍ଟ କ୍ରିକେଟରୁ ରୋହିତଙ୍କ ଅବସର ଚର୍ଚ୍ଚା ମଧ୍ୟରେ ଆସିଛି ବଡ ଖବର । ଯଦି ରୋହିତ ଶର୍ମାଙ୍କ ଦିନିକିଆ ଅଧିନାୟକ ଉପରେ କିଛି ବିପଦ ଆସେ କିମ୍ବା ବିସିସିଆଇ ତାଙ୍କ ଉପରେ ଚାପ ପକାଏ ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଗତ ୨ ବର୍ଷ ଭିତରେ ହ୍ୱାଇଟ୍ ବଲ୍ କ୍ରିକେଟରେ ଅଧିନାୟକ କରିବାର ଅଭିଜ୍ଞତା ରହିଛି ।
ଏହି ରିପୋର୍ଟ ଏମିତି ସମୟରେ ଆସିଛି ଯେତେବେଳେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଦେଢ ମାସ ରହିଛି । ଭାରତୀୟ ଦଳକୁ ଜାନୁଆରୀ ୧୧ ତାରିଖ ସୁଦ୍ଧା ଭାରତୀୟ ଦଳ ଘୋଷଣା ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ଯେବେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଲେ ସେହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିଲା । ମାତ୍ର ହେଡ୍ କୋଚ୍ ଗୌତମ ଗମ୍ଭୀର ଦଳ ପ୍ରବନ୍ଧକଙ୍କ ସହ ମିଶି ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଅଧିନାୟକ କରାଯାଇଥିଲା । ତେବେ ରୋହିତ ଶର୍ମାଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିନିକିଆ ଦଳର ଅଧିନାୟକ କରାଯାଇପାରେ ।