ରାସ୍ତା ମଝିରେ ଚଳନ୍ତା ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟରେ ଏଭଳି ଏକ ଅଘଟଣ ଘଟିଯାଇଛି ।
ସୂଚନା ଅନୁସାରେ ଗତକାଲି ରାତିରେ ଲକ୍ଷ୍ମୀ ନାମକ ଏକ ବସ ଭୁବନେଶ୍ୱରରୁ କେନ୍ଦୁଝର ଅଭିମୁଖେ ଯାଉଥିଲା । ଯେଉଁଥିରେ ୫୦ ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଏହି ସମୟରେ ବସଟି ଯାଜପୁରର ଛତିଆ ନିକଟରେ ହୋଇଥିବା ବେଳେ ହଠାତ ବସରେ ନିଆଁ ଲାଗିଯାଇଥିଲା । ତେବେ ବସରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦେଇଥିଲେ ଡ୍ରାଇଭର । ଫଳରେ ୫୦ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ ବଂଚିଯାଇଥିଲା ।
ଏହାପରେ ସ୍ଥାନୀୟ ଲୋକେ ନିକଟସ୍ଥ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ବସ ବ୍ୟାଟେରୀରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।