ଶ୍ରୀନଗର: ଶ୍ରୀନଗରରେ ଲୋକେ ଉଠି ଝରକା ବାହାରକୁ ଚାହିଁ ଚାରିଆଡ଼େ ବରଫ ପଡ଼ିଥିବା ଦେଖିବାକୁ ପାଇଛନ୍ତି। ପ୍ରସିଦ୍ଧ ଲାଲ ଛକରେ ଥିବା ରାସ୍ତା ଧଳା ଦେଖାଯାଉଥିଲା। ଚାରିଆଡ଼େ ତିନି ଇଞ୍ଚରୁ ଅଧିକ ବରଫର ଘନ କମ୍ବଳ ଥିଲା। ଘର, ଯାନବାହନ, ଗଛ, ରାସ୍ତାକଡ଼ରେ ଥିବା ବେଞ୍ଚ ଉପରେ ପ୍ରବଳ ବରଫ ପଡ଼ିଥିଲା। ଲୋକଙ୍କ ଖୁସିର ସୀମା ନଥିଲା ଏବଂ ସ୍ମରଣୀୟ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ଲାଲ ଛକରେ ଥିବା କ୍ଲକ୍ ଟାୱାରରେ ପହଞ୍ଚିଥିଲେ। ତୁଷାରପାତ ଖୁସି ଆଣିଦେଇଥିଲା।
ଡିସେମ୍ବର ୨୧ତାରିଖରୁ ଆରମ୍ଭ ହୋଇଥିବା ୪୦ ଦିନିଆ ଚିଲ୍ଲା କଲାନ ଋତୁରେ ଏହା ହେଉଛି ଦ୍ୱିତୀୟ ବଡ଼ ତୁଷାରପାତ। ମାତା ବୈଷ୍ଣୋ ଦେବୀଙ୍କ ତ୍ରିକୁଟା ପର୍ବତର ଉପର ଶିଖରରେ ଦୁଇରୁ ତିନି ଇଞ୍ଚ ବରଫ ପଡ଼ିଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମଙ୍ଗଳବାର ପାଗ ସ୍ବଚ୍ଛ ରହିବ। ସୋମବାର ତୁଷାରପାତ ଓ ବର୍ଷା ଯୋଗୁଁ କାଶ୍ମୀର ସମେତ ଜମ୍ମୁ ଡିଭିଜନର ପାହାଡ଼ିଆ ଅଞ୍ଚଳରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ତୁଷାରପାତ ପରେ ଥଣ୍ଡା ବଢ଼ିବାରେ ଲାଗିଛି।
କଶ୍ମୀରର ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଥଣ୍ଡା ବିନ୍ଦୁ ତଳେ ରହିଛି। ସମଗ୍ର କଶ୍ମୀରର ବିମାନ ଯୋଗାଯୋଗ ମଧ୍ୟାହ୍ନ ପର୍ଯ୍ୟନ୍ତ ଦେଶ ଓ ବିଶ୍ୱରୁ ବିଚ୍ଛିନ୍ନ ରହିଥିଲା। ସକାଳୁ ଦୁଇଟି ବିମାନ ବାତିଲ ହୋଇଥିଲା। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଧରି ଅବରୋଧ ହେବା ପରେ ଦିନତମାମ ଖୋଲା ରହିଥିଲା, କିନ୍ତୁ କୁପୱାଡା-କେରାନ, ମୋଗଲ ରୋଡ୍, ଶ୍ରୀନଗର-ସୋନମର୍ଗ, ବାନ୍ଦିପୋରା-ଗୁରେଜ ସମେତ ପ୍ରବଳ ତୁଷାରପାତ ଯୋଗୁଁ ଶହ ଶହ ଗାଁ ଓ ସହର ଜିଲ୍ଲା ମୁଖ୍ୟାଳୟରୁ ବିଚ୍ଛିନ୍ନ ହୋଇଛି।
ତୁଷାରପାତ ଯୋଗୁଁ କାଶ୍ମୀରର ୬ଟି ଜିଲ୍ଲାର ସମ୍ବେଦନଶୀଳ ଅଂଚଳରେ ହିମସ୍ଖଳନ ହେବାର ଆଶଙ୍କା ବଢିଯାଇଛି। ରବିବାର ରାତିରେ ବର୍ଷା ହେବା ପରେ ସୋମବାର ଜମ୍ମୁରେ ସାରା ଦିନ ଖରା ପଡ଼ିଥିଲା।
ଆଜି ଭୋର ସମୟରେ କାଜିଗୁଣ୍ଡରେ ତୁଷାରପାତ ଯୋଗୁଁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ୫ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସକାଳ ପ୍ରାୟ ୯ଟା ରେ ବରଫ ସଫା ହେବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ପ୍ରବଳ ତୁଷାରପାତ ଯୋଗୁଁ ମୋଗଲ ରୋଡ୍କୁ ଯାତାୟାତ ପାଇଁ ଖୋଲାଯାଇ ପାରିନଥିଲା। ବରଫ ହଟାଇବା କାମ ବନ୍ଦ କରିବାକୁ ପଡ଼ିଥିଲା। ମୁଗଲ ରୋଡ୍ କୁ ୧୦ ଦିନ ପାଇଁ ବନ୍ଦ ରଖାଯାଇଛି। ସେପଟେ ବୈଷ୍ଣୋ ଦେବୀଙ୍କ ତ୍ରିକୁଟା ପାହାଡ଼ର ଶିଖରରେ ମଧ୍ୟ ୨ରୁ ୩ ଇଞ୍ଚ ବରଫ ପଡ଼ିଛି।
ଅଧି୍କ ପଢ଼ନ୍ତୁ: ଆଜି ‘ଭାରତପୋଲ’ ଆପ୍ ଶୁଭାରମ୍ଭ କରିବେ କେନ୍ଦ୍ର ଗୃହମନ୍ତ୍ରୀ