ଭୁବନେଶ୍ୱର: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ସମସ୍ତ ପ୍ରବାସୀ ଭାରତୀୟ ଅତିଥିଙ୍କୁ ଜଗନ୍ନାଥ ଭୂମିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହା ଓଡ଼ିଶା ଏବଂ ପ୍ରବସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହିତ ଡାଲମା, ଛେନାପୋଡ଼ ଏବଂ ରସଗୋଲାର ମଜା ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଯୁବ ସମାବେଶକୁ ତିନୋଟି ଭାଷା ଯଥା ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ, ଆଜି ସେହି ଅପେକ୍ଷାର ଅନ୍ତ ହୋଇଛି । ଏହା ସମ୍ମିଳନୀ ଏକ ଅଭୁଲା ସ୍ମୃତି ହୋଇ ରହିବା ସହିତ ସଂପର୍କ ସେତୁ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀ ଆମର କଲଚରାଲ ଆମ୍ବାସଡର (ସାଂସ୍କୃତିକ ରାଷ୍ଟ୍ରଦୂତ) ଅଟନ୍ତି । ଆପଣମାନଙ୍କ ସଫଳତା ଖୁସି ଦେଇଥାଏ । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କହିଛନ୍ତି । କ୍ରୀଡ଼ା, ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶରେ ଆମେ ଉନ୍ନତି କରୁଛୁ । ପ୍ରବାସୀମାନେ ଆମର ରାଷ୍ଟ୍ରଦୂତ ହୋଇ ବିଶ୍ୱ ଦରବାରରେ ଓଡ଼ିଶା ପାଇଁ ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେହିପରି ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ଭୁବନେଶ୍ଵରକୁ ଚୟନ କରି ଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଛନ୍ତି । ପରିଶେଷରେ ମୁଖ୍ୟମନ୍ତ୍ରୀ ପୁରୀ, କୋଣାର୍କ, ଧଉଳି, ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀ ବୁଲିବା ସହିତ ଡାଲମା, ରସଗୋଲା ଓ ଛେନା ଭଳି ଓଡ଼ିଆ ଖାଦ୍ୟର ମଜା ନେବାକୁ ପ୍ରବାସୀ ଭାରତୀୟକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ କହିଛନ୍ତି । ଆମେ ସମସ୍ତେ ମିଳିମିଶି ଏକ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।