ଗୁଆହାଟୀ: ଆସାମର ଡିମା ହାସାଓ ଜିଲ୍ଲାର ଉମରାଙ୍ଗସୋଠାରେ ଥିବା ୩୦୦ ଫୁଟ ଗଭୀର କୋଇଲା ଖଣିରେ ଗତ ୪୮ ଘଣ୍ଟା ଧରି ୯ ଜଣ ଖଣି ଶ୍ରମିକ ଫସି ରହିଛନ୍ତି। ଅନ୍ୟପକ୍ଷରେ ସଦ୍ୟତମ ସୂଚନା ଅନୁଯାୟୀ, ଉମରାଙ୍ଗସୋ ଅଞ୍ଚଳରେ ଥିବା ଏକ କୋଇଲା ଖଣିରୁ ଏକ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଗତ ୬ ତାରିଖରେ ହଠାତ୍ ଖଣିରେ ଜଳଭର୍ତ୍ତି ହୋଇଯାଇଥିଲା। ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନା ମୁତୟନ କରାଯାଇଛି। ମଙ୍ଗଳବାର ରାତିରେ ଏହି ଅପରେସନକୁ ବନ୍ଦ କରି ଦିଆଯାଇଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
କୋଇଲା ଖଣିରେ ଫସି ରହିଥିବା ୯ ଜଣଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନଡିଆରଏଫ, ଏସଡିଆରଏଫ ଟିମ୍ ଏବଂ ଅନ୍ୟାନ୍ୟ ଏଜେନ୍ସିର ମିଳିତ ଉଦ୍ଧାର ଅଭିଯାନ ପୁଣି ଆରମ୍ଭ ହୋଇଛି।
ଖଣିରେ କାମ କରୁଥିବା ଜଣେ ଖଣି କର୍ମଚାରୀ, ଯାହାଙ୍କ ଭାଇ ମଧ୍ୟ ଫସି ରହିଛନ୍ତି, କହିଛନ୍ତି, "ହଠାତ୍ ଲୋକମାନେ ଚିତ୍କାର କରିବା ଆରମ୍ଭ କଲେ ଯେ (ଖଣିରେ) ପାଣି ଭର୍ତ୍ତି ହେଉଛି; ପ୍ରାୟ ୩୦ରୁ ୩୫ ଜଣ ବାହାରକୁ ଆସିଥିଲେ ମଧ୍ୟ ୧୫ରୁ ୧୬ ଜଣ ଭିତରେ ଫସି ରହିଥିଲେ।
ଡିମା ହାସାଓ ଜିଲ୍ଲା ଏସପି ମୟଙ୍କ ଝା କହିଛନ୍ତି ଯେ ଖଣିରେ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ନୁସାରେ ହଠାତ୍ ପାଣି ଆସିଯିବାରୁ ଶ୍ରମିକମାନେ ଖଣିରୁ ବାହାରି ପାରିନଥିଲେ। ଜରୁରୀକାଳୀନ ପ୍ରତିକ୍ରିୟା ଦଳ, ସ୍ଥାନୀୟ ଅଧିକାରୀ ଏବଂ ଖଣି ବିଶେଷଜ୍ଞଙ୍କ ଟିମ୍ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଫସି ରହିଥିବା ଖଣି ଶ୍ରମିକଙ୍କୁ ଠାବ କରାଯାଉଛି।
ଏହି ଅଘଟଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅବଗତ ହେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଆମର ୨୧ ଜଣ ପାରା ଡ୍ରାଇଭର ଜଣଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ଶୋକ ସନ୍ତପ୍ତ ପରିବାରକୁ ଆମେ ସମବେଦନା ଜଣାଉଛୁ।
ଅଧିକ ପଢ଼ନ୍ତୁ: ଭାରତ ବିପକ୍ଷରେ ଇଂଲଣ୍ଡର ଟିମ୍ ଘୋଷଣା