ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ବର୍ଡର-ଗାଭାସ୍କର ଟ୍ରଫିରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍ରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ।ସଦ୍ୟତମ ଖବର ଅନୁଯାୟୀ, ନିୟମିତ ଅଧିନାୟକ ରୋହିତ ଶର୍ମା ଶେଷ ଟେଷ୍ଟ ମ୍ୟାଚ୍ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ଉପ ଅଧିନାୟକ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ଏହି ଖବର ପରେ କୁହାଯାଉଛି ଯେ, ବୋଧହୁଏ ମେଲବର୍ଣ୍ଣ ଟେଷ୍ଟ ରୋହିତଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଥିଲା।
ରୋହିତ ଶର୍ମାଙ୍କ ସ୍ଥାନରେ ଶୁଭମନ ଗିଲ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ। ସେ ନମ୍ବର ୩ରେ ବ୍ୟାଟିଂ କରିବେ ଏବଂ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଇନିଂସ ଓପନିଂ କରିବେ। ସିଡନୀ ଟେଷ୍ଟ ପୂର୍ବରୁ ଆଜି ହୋଇଥିବା ଶେଷ ଅଭ୍ୟାସ୍ ସେସନରେ ରୋହିତ ଶର୍ମା ଯୋଗ ଦେଇଥିଲେ ହେଁ କୌଣସି ଅଭ୍ୟାସ କରି ନ ଥିଲେ। ତାଙ୍କୁ ଅଧିକ ସମୟ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଓ ସହାୟକ କୋଚ୍ ଏବଂ ବୁମରାଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।
ସୂତ୍ର ମୁତାବକ ରୋହିତ ଶର୍ମା ସିଡନୀ ଟେଷ୍ଟ ଖେଳିବେ ନାହିଁ ବୋଲି କୋଚ୍ ଗୌତମ ଗମ୍ଭୀର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ନିଜର ନିଷ୍ପତ୍ତି ବିଷୟରେ ଜଣାଇ ଦେଇଛନ୍ତି। ଉଲ୍ଲେଖନୀୟ ରୋହିତ ଶର୍ମା ସଂପ୍ରତି ଅତି ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଗତ ୯ଟି ଟେଷ୍ଟରେ ତାଙ୍କର ବ୍ୟାଟିଂ ହାର ୧୦.୯୩ ରହିଛି। ବର୍ଡର-ଗାଭାସ୍କର ସିରିଜ୍ରେ ସେ ମାତ୍ର ୬.୨ ହାରରେ ୩୩ ରନ କରିଛନ୍ତି। ଖରାପ ବ୍ୟାଟିଂର ପ୍ରଭାବ ତାଙ୍କର ନେତୃତ୍ଵ ଉପରେ ମଧ୍ୟ ପଡ଼ିଛି। ତାଙ୍କ ଅଧିନାୟକତ୍ଵରେ ଗତ ଶେଷ ୬ଟି ଟେଷ୍ଟରୁ ଭାରତ ୫ଟି ହାରିଥିବା ବେଳେ ଗୋଟିଏ ଡ୍ର ରହିଛି।
ମ୍ୟାଚ୍ର ପୂର୍ବ ସନ୍ଧ୍ୟାରେ ଅଭ୍ୟାସ୍ ସମୟରେ ଗମ୍ଭୀରଙ୍କୁ ବୁମରାଙ୍କ ସହ ଦୀର୍ଘ ସମୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ଆଜି ସାମ୍ବାଦିକ ସମ୍ମିଳନୀରେ ଗୌତମ ଗମ୍ଭୀରଙ୍କୁ ଚୂଡ଼ାନ୍ତ ଏକାଦଶ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହି ସମୟରେ ଗମ୍ଭୀର କୌଣସି ଉତ୍ତର ଦେଇ ନ ଥିଲେ ହେଁ କେବଳ ଏତିକି କହିଥିଲେ ଯେ, ରୋହିତ ଠିକ୍ ଅଛନ୍ତି। ୩ ତାରିଖ ପିଚ୍ ଦେଖି ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯିବ।