କଟକ : ପୁରୀଘାଟ ଥାନା ଅନ୍ତର୍ଗତ ସନ୍ ସାଇନ୍ ଗ୍ରାଉଣ୍ଡ ଛକ ନିକଟରେ ଘଟିଥିବା ସାହି ବିବାଦ ଓ ହତ୍ୟା ମାମଲାରେ କମିଶନରେଟ୍ ପୋଲିସ ପୁଣି ଆଉ ୧୩ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଏହି ଘଟଣାରେ ମୋଟ ଗିରଫଦାରୀ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।
ଆଜି ରବିବାର ଦିନ ପୋଲିସ ନୟାଗଡ଼, ଖୋର୍ଦ୍ଧା ଏବଂ କଟକ ଗ୍ରାମାଞ୍ଚଳର ବାୟାଳିଶ ମୌଜା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୂର୍ବରୁ ଏହି ମାମଲାରେ ଜଣେ ନାବାଳକଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଥିଲା।
ସୂଚନା ଥାଉକି ଗତ ଶୁକ୍ରବାର ସନ୍ଧ୍ୟାରେ ବୁରୁଜ ସାହି ଏବଂ ଗଣେଶଘାଟ ସାମଲ ସାହିର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୟଙ୍କର ସଂଘର୍ଷ ଘଟିଥିଲା। ଢେଲାପଥର ଓ କାଚ ବୋତଲ ମାଡ଼ରେ ଅବସରପ୍ରାପ୍ତ ଶିକ୍ଷକ ଅମରେନ୍ଦ୍ର ସାମଲ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ।
କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁଯାୟୀ, ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ତଦନ୍ତ ଓ ଚଢ଼ାଉ ଜାରି ରହିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।