ଉତ୍ତରପ୍ରଦେଶ: ମହାକୁମ୍ଭରେ ଆତଙ୍କୀ ଆକ୍ରମଣ ଆଶଙ୍କା ରହିଥିବା ନେଇ ସର୍ତକ କରାଇଛି ଗୁଇନ୍ଦା ବ୍ୟୁରୋ (ଆଇବି) । ଏନେଇ ଆଇବି ଲୋକାଲ ଗୁଇନ୍ଦା ୟୁନିଟ(ଏଲଆଇୟୁ)କୁ ଜଣାଇବା ପରେ ୟୁପି ପୋଲିସକୁ ସର୍ତକତା କରାଇ ଗୃହ ବିଭାଗକୁ ରିପୋର୍ଟ ପଠାଯାଇଛି ।
ରିପୋର୍ଟରେ କୁହାଯାଇଛି, ଖଲିସ୍ତାନ ଓ ପାକିସ୍ତାନୀ ଆତଙ୍କବାଦୀ ନକଲି (ପ୍ରକ୍ସି) ନାମରେ ମହାକୁମ୍ଭରେ ପ୍ରବେଶ କରି ଲୋକଙ୍କୁ ଟାର୍ଗେଟ୍ କରିପାରନ୍ତି । ଷ୍ଟେଟ୍ ଏଲ୍ଆଇୟୁ ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଆତଙ୍କୀମାନେ ସାଧୁ, ଅଘୋରୀ ଓ ଗେରୁଆ ବସ୍ତ୍ର ପରିଧାନ କରି ମେଳାରେ ପ୍ରବେଶ କରିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ମହାକୁମ୍ଭରେ ସିକ୍ରେଟ ପୁଲିସ କର୍ମୀ ସାଧୁଙ୍କ ବେଶରେ ମୁତୟନ ହେଉଛନ୍ତି । ଏହାଯୋଗୁ ସେମାନେ ଉକ୍ତ ଅଞ୍ଚଳରେ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିପାରିବେ । ଏମାନଙ୍କୁ ମେଳାର ଭିଡ଼ ସ୍ଥାନରେ, ଆଖଡ଼ା ଓ ପେଣ୍ଡାଲ ଏବଂ ସଙ୍ଗମ ତଟରେ ମୁତୟନ କରାଯିବ ।
ଏହି ରିପୋର୍ଟକୁ ଗୁରୁତ୍ୱର ସହ ନେଇ ରାଜ୍ୟ ଗୃହ ବିଭାଗ ନିଜର ସମସ୍ତ ଶାଖାକୁ ସକ୍ରିୟ କରିଦେଇଛି । କୁମ୍ଭ ମେଳାରେ ଆତଙ୍କବାଦ ନିରୋଧୀ ସ୍କ୍ୱାଡ, ଗୁଇନ୍ଦା ବ୍ୟୁରୋ, ଏସ୍ଟିଏଫ୍ ଏବଂ ଏଲ୍ଆଇୟୁ, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ଏବଂ ଏନ୍ଆଇଏ ଟିମ୍ ନିଜ କାମ କରୁଛନ୍ତି । ସେମାନେ ବି ସମ୍ଭାବ୍ୟ ନକାରାତ୍ମକ ଘଟଣା ଉପରେ ଅହରହ ନଜର ରଖିଛନ୍ତି । ଏହା ସହିତ, ପ୍ରଥମ ଥର ପାଇଁ ମହାକୁମ୍ଭରେ ଇଓ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଟେକ୍ନୋଲୋଜି ବ୍ୟବହାର କରାଯିବ ଯାହା ସାହାଯ୍ୟରେ ସନ୍ଦେହଜନକ ଲୋକଙ୍କୁ ଚିହ୍ନଟ କରାଯାଇପାରିବ ।
ହାଇ ଆଲର୍ଟ ଜାରି ହେବା ପରେ ମେଳା ଅଞ୍ଚଳରେ ପ୍ରବେଶ କରୁଥିବା ଲୋକଙ୍କ ଯାଞ୍ଚ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ପ୍ରବେଶ ପଥରେ ରେଜିଷ୍ଟର ଧରି ପୁଲିସ ଛିଡ଼ା ହୋଇଛି । ଗାଡ଼ି ଯୋଗେ ମେଳାକୁ ଆସୁଥିବା ଲୋକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ସାମିଲ କରାଯାଉଛି । ଆଧାର କାର୍ଡ ବି ମଗାଯାଇ ଏହାର ମେଳ କରାଯାଉଛି । ଯେଉଁ ଗାଡ଼ି ଉପରେ ସନ୍ଦେହ ଉପୁଜିଛି, ତାହାର ତୁରନ୍ତ ଯାଞ୍ଚ ହେଉଛି ।