ନୂଆଦିଲ୍ଲୀ: ଆଜକୁ ଛଅ ମାସ ପରେ ଭାରତୀୟ ଦଳ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା । କିନ୍ତୁ ଏହା ପରଠୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି। ତାଙ୍କ ନେତୃତ୍ୱରେ ବି ଆଉ ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ କ୍ରମାଗତ ଭାବେ ବିଫଳ ହୋଇ ଚାଲିଛନ୍ତି ।
ଆଜି ମେଲବର୍ଣ୍ଣ ଟେଷ୍ଟରେ ଭାରତ ୧୮୪ ରନରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ପରେ ଅଧିନାୟକ ରୋହିତ ଶର୍ମ ଓ ବିରାଟ କୋହଲିଙ୍କ ଅବସର ଚର୍ଚ୍ଚା ଜୋର ଧରିଛି । ଏଥିସହ ଆଜିର ପରାଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଏକପ୍ରକାରର ଧୂଳିସାତ ହୋଇଯାଇଛି। ମେଲବର୍ଣ୍ଣରେ ବୋଲରମାନେ ଭାରତକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଥିଲେ ହେଁ ବ୍ୟାଟରମାନେ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ପ୍ରଥମ ଇନିଂସରେ ଫେଲ ମାରିଥିବା ରୋହିତ ଦ୍ୱିତୀୟ ଇନିଂସରେ ୪୦ ବଲରେ ସମ୍ମୁଖୀନ କେବଳ ୯ ରନ କରିବାକୁ ସକ୍ଷମ ହୋଇଥିଲେ । ବିରାଟ କୋହଲିଙ୍କ ମଧ୍ୟ ସମାନ ଅବସ୍ଥା । ସେ ମଧ୍ୟ ପର୍ଥ ଟେଷ୍ଟରେ ଶତକ ହାସଲ ପରେ ସଂପୂର୍ଣ୍ଣ ଫେଲ୍ ମାରି ଚାଲିଛନ୍ତି ।
ଦୁଇ ବ୍ୟାଟରଙ୍କୁ ବଡ ଭବିଷ୍ୟତବାଣୀ କରିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀଙ୍କ ମତରେ କୋହଲିଙ୍କଠାେରେ ଏବେବ ବି ଚାରି ବର୍ଷ କ୍ରିକେଟ୍ ବାକି ରହିଛି । ମାତ୍ର ଟେଷ୍ଟ ଫର୍ମାଟରେ ରୋହିତ ଶର୍ମା ଫର୍ମ ଓ ଟେକନିକ ସହ ଦୀର୍ଘ ସମୟ ଧରି ସଂଘର୍ଷ କରୁଛନ୍ତି । ଭାରତୀୟ ଅଧିନାୟକଙ୍କୁ ନିଜର ଭବିଷ୍ୟତକୁ ନେଇ ଆକଳଣ କରିବା ଦରକାର । ମୋ ମତରେ ବିରାଟ ଆଉ କିଛି ବର୍ଷ କ୍ରିକେଟ୍ ଖେଳି ପାରିବେ । ସେ ଯେଉଁଭଳି ଭାବେ ଆଉଟ୍ ହେଉଛନ୍ତି ତାକୁ ଭୁଲି ଯାଆନ୍ତୁ । ମୋ ମତରେ ସେ ଆଉ ୩ରୁ ୪ ବର୍ଷ ଖେଳିବେ ।
ରୋହିତଙ୍କ କଥା ବିଚାରକୁ ନେଲେ, ନିଷ୍ପତ୍ତି ନେବାର ସମୟ ଆସି ଯାଇଛି। ବୋଧଗୟଏ ସଟ୍ ଖେଳିବାରେ ବିଳମ୍ବ କରୁଛନ୍ତି । ରୋହିତଙ୍କ ପାଖରେ ସେ ଫୁଟୱର୍କ ଆଉ ନାହିଁ। ସେ ଏମିତି ଏକ ସମୟରେ ପହଞ୍ଚି ଯାଇଛନ୍ତି, ଯେଉଁଠି ବଲକୁ ମିଟ କରିବାରେ ବିଳମ୍ବ ହେଉଛନ୍ତି। ତେଣୁ ସିରିଜ ଶେଷରେ ରୋହିତ ହିଁ ତାଙ୍କ କ୍ୟାରିୟରକୁ ନେଇ ନିଷ୍ପତ୍ତି ନେବେ।” ଶାସ୍ତ୍ରୀଙ୍କ ଏପରି ବୟାନ ପରେ ରୋହିତ ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି।