ମେଲବର୍ଣ୍ଣ: ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି ମେଲବର୍ଣ୍ଣ ଟେଷ୍ଟ । ଅଷ୍ଟ୍ରେଲିଆର ନିମ୍ନକ୍ରମ ବ୍ୟାଟର ଭାରତୀୟ ଦଳର ବିଜୟ ସମ୍ଭାବନା ଆଶାକୁ କ୍ଷୀଣ କରି ଦେଇଛନ୍ତି । ଚତୁର୍ଥ ଦିନର ଖେଳରେ ଏକଦା ୮ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିବା ଅଷ୍ଟ୍ରେଲିଆ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୯ ଓ୍ଵିକେଟ୍ ହରାଇ ୨୨୮ ରନ କରିଛି। ଫଳରେ ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରି ଭାରତର ବିଜୟକୁ ମୁସ୍କିଲ କରି ଦେଇଛି । ପ୍ରଥମ ତିନି ଦିନ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଥିଲେ ହେଁ ଚତୁର୍ଥ ଦିନ ଭାରତୀୟ ବୋଲର ଘାତକ ବୋଲିଂ କରି ଭାରତ ପାଇଁ ବିଜୟ ଆଶା ସଞ୍ଚାର କରିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ନିମ୍ନକ୍ରମର ବ୍ୟାଟର ନିଜ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଛନ୍ତି ।
ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଗାଭାସ୍କର କହିଛନ୍ତି, ମୋତେ ଲାଗୁଛି ଭାରତ ସୁଯୋଗ ହାତଛଡ଼ା କରି ଦେଲା। ଚା ପାନ ବିରତି ସୁଦ୍ଧା ମ୍ୟାଚ୍ରେ ଭାରତର ପଲ୍ଲା ଭାରି ରହିଥିଲା। ଏହା ପରେ ପାଟ୍ କମିନ୍ସ, ନାଥନ ଲିୟୋନ ଓ ସ୍କଟ ବୋଲାଣ୍ଡ ଦମଦାର ବ୍ୟାଟିଂ କରି ଭାରତୀୟ ଶିବିରକୁ ନିରାଶ କରିଛନ୍ତି। ଅଷ୍ଟ୍ରେଲିଆ ୩୩୩ ରନର ଅଗ୍ରଣୀ ହାସଲ କରି ନେବାରୁ ଭାରତର ବିଜୟ ଏବେ ମୁସ୍କିଲ ଲାଗୁଛି। ଅଷ୍ଟ୍ରେଲିଆର ଅଷ୍ଟମ, ନବମ ଓ ୧୧ମ କ୍ରମର ବ୍ୟାଟର ପ୍ରାୟ ୩୫ ଓଭର ଖେଳି ଭାରତର ବିଜୟ ଆଶାକୁ ମଳିନ କରିଛନ୍ତି।
ଗାଭାସ୍କର କହିଛନ୍ତି, ଯଦି ଭାରତୀୟ ଦଳ ନିମ୍ନକ୍ରମର ବ୍ୟାଟରଙ୍କୁ ଶୀଘ୍ର ଆଉଟ୍ କରିଥାନ୍ତେ ତେବେ ଦଳକୁ ୨୬୦-୨୭୦ ରନର ବିଜୟ ଲକ୍ଷ୍ୟ ମିଳିଥାନ୍ତା। ଏପରିକି ରବିବାର ଗୋଟିଏ ଘଣ୍ଟା ବ୍ୟାଟିଂ କରି ୩୦-୪୦ ରନ କରାଯାଇ ପାରିଥାନ୍ତା। ଏବେ ଭାରତୀୟ ବୋଲରଙ୍କୁ ଶେଷ ଓ୍ଵିକେଟ୍ ନେବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ଗାଭାସ୍କର କହିଛନ୍ତି । କାରଣ ଅଷ୍ଟ୍ରେଲିଆ ଏତେ ଶୀଘ୍ର ଇନିଂସ ଘୋଷଣା କରିବ ନାହିଁ।
କଣ ଭାରତ ଏବେ ବି ମ୍ୟାଚ୍ ଜିତି ପାରିବ ପ୍ରଶ୍ନର ଉତ୍ତରରେ ଗାଭାସ୍କର କହିଛନ୍ତି, ଭାରତୀୟ ଦଳ ୨୦୨୧ରେ ଗାବାରେ ଶେଷ ଦିନରେ ୩୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିଲା । ଏଥିପାଇଁ ଆମକୁ ଓପନିଂରୁ ଭଲ ଆରମ୍ଭ ଦରକାର। ଆମକୁ ସେହି ଆରମ୍ଭ ଦରକାର ଯେମିତି ସେହ୍ଵାଗ ଆମକୁ ଦିଅନ୍ତି। ପୁଣି ଥରେ ଗାବାର କରିସ୍ମା ଦୋହରାଇବାକୁ ପଡିବ ବୋଲି ଗାଭାସ୍କର କହିଛନ୍ତି ।