ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ଅଫ୍ ଦ ଇୟର ୨୦୨୪ ଆଓ୍ଵାର୍ଡ ପାଇଁ ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନାଁ ମନୋନୀତ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)। ବୁମରାଙ୍କ ବ୍ୟତୀତ ଆଉ ତିନି ଖେଳାଳି ଅଷ୍ଟ୍ରେଲିଆର ଟ୍ରେଭିସ ହେଡ, ଇଂଲଣ୍ଡର ଦୁଇ ଖେଳାଳି ଜୋ ରୁଟ୍ ଓ ହ୍ୟାରି ବ୍ରୁକଙ୍କ ନାଁ ଏହି ତାଲିକାରେ ସାମିଲ ଅଛି। ଫଳରେ ଏବେ ଆଇସିସି କ୍ରିକେଟ୍ର ଅଫ୍ ଦ ଆଓ୍ଵାର୍ଡ ପାଇଁ ବୁମରା ଓ ହେଡ୍ ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିପାରେ।
୧ – ଯଶପ୍ରୀତ ବୁମରା
ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଚଳିତ ବର୍ଷ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳି ନାହାନ୍ତି। ସେ କେବଳ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ସେ ୧୩ଟି ଟେଷ୍ଟରେ ୧୪.୯୨ ହାରରେ ୭୧ ଓ୍ଵିକେଟ୍ ନେଇଛନ୍ତି। ୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସେ ୪.୧୭ ହାରରେ ୧୫ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଭାରତକୁ ଟି-୨୦ ବିଶ୍ଵକପ୍ ଚାମ୍ପିଅନ କରାଇବାରେ ବୁମରା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୨ - ଜୋ ରୁଟ୍
ଇଂଲଣ୍ଡର ତାରକା ବ୍ୟାଟର ଜୋ ରୁଟ୍ ଚଳିତ ବର୍ଷ ଟେଷ୍ଟ କ୍ରିକେଟ୍ରେ ଖୁବ୍ ବର୍ଷିଛନ୍ତି। ସେ ୧୭ଟି ମ୍ୟାଚ୍ ଖେଳି ୫୫.୫୭ ହାରରେ ମୋଟ୍ ୧୫୫୬ ରନ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବୋଚ୍ଚ ସ୍କୋର ୨୬୨ ରନ ଥିଲା। ପଞ୍ଚମ ଥର ସେ ଟେଷ୍ଟ କ୍ରିକେଟ୍ରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୦୦୦ରୁ ଅଧିକ ରନ କରିଛନ୍ତି।
୩ – ହ୍ୟାରି ବ୍ରୁକ
ଇଂଲଣ୍ଡର ଏହି ବିପଦଜ୍ଜନକ ଯୁବ ବ୍ୟାଟର ମାତ୍ର ୧୨ଟି ଟେଷ୍ଟ ଖେଳି ୫୫ ହାରରେ ୧୧୦୦ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୩୧୭ ରନ ରହିଛି। ଚଳି ବର୍ଷ ଅନ୍ୟ ଫର୍ମାଟ୍ରେ ସେ ଇଂଲଣ୍ଡ ପାଇଁ ଖେଳି ନାହାନ୍ତି। ୨୨ ବର୍ଷୀୟ ଏହି ବ୍ୟାଟର ଲଗାତାର ଦମଦାର ପ୍ରଦର୍ଶନ କରି ଆଇସିସି ପୁରୁଷ ଟେଷ୍ଟ ବ୍ୟାଟର ମାନ୍ୟତାରେ ଜୋ ରୁଟ୍ଙ୍କୁ ପଛରେ ପକାଇ ଶୀର୍ଷକୁ ଉଠିଥିଲେ।
୪ – ଟ୍ରେଭିସ ହେଡ୍
ଅଷ୍ଟ୍ରେଲିଆର ତାରକା ବ୍ୟାଟର ଟ୍ରେଭିସ ହେଡ ଚଳିତ ବର୍ଷ ୯ଟି ଟେଷ୍ଟ ଖେଳି ୪୦.୫୩ ହାରରେ ୬୦୮ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୧୫୨ ରନ। ସେ ୧୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ୧୭୮ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ୫୩୯ ରନ କରିଛନ୍ତି।