ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବରରେ ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଅବସର ନେଇଥିଲେ । ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିଥିଲା । ସାଧାରଣତଃ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟକାଳ ଲମ୍ବା ରହି ନ ଥାଏ । ମାତ୍ର ଚନ୍ଦ୍ରଚୂଡଙ୍କୁ ବହୁତ ସମୟ ମିଳିଥିଲା । କିନ୍ତୁ ୨୦୨୫ରେ ଦେଶ ତିନି ପ୍ରଧାନ ବିଚାରପତିଙ୍କୁ ଦେଖିବ । ୨୦୨୪ ନଭେମ୍ବର ୧୦ରୁ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟରତ ସଞ୍ଜୀବ ଖନ୍ନା ଚଳିତ ବର୍ଷ ମେ ୧୩ ତାରିଖରେ ଅବସର ଗ୍ରହଣ କରିବେ । ଏହା ପରେ ବିଚାରପତି ବିଆର ଗବଇ ପ୍ରଧାନ ବିଚାରପତି ହେବେ ଏବଂ ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ନଭେମ୍ବର ୨୩ରେ ସମାପ୍ତ ହେବ । ତାଙ୍କ ପରେ ବିଚାରପତି ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିବେ । ଏହି ପରି ୨୦୨୫ରେ ସୁପ୍ରିମକୋର୍ଟରେ ତିନି ପ୍ରଧାନ ବିଚାରପତିଙ୍କୁ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ ଚଳିତ ବର୍ଷ ମୋଟ୍ ୭ ବିଚାରପତି ସୁପ୍ରିମକୋର୍ଟରୁ ଅବସର ନେଉଛନ୍ତି ।
ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ସଞ୍ଜୀବ ଖନ୍ନା ପ୍ରଧାନ ବିଚାରପତି ଭାବେ ଆବଣ୍ଟିତ ସରକାରୀ ବାସଭବନ ନେଇ ନାହାନ୍ତି । ତାଙ୍କ କହିବା କଥା କାର୍ଯ୍ୟକାଳ ବହୁତ ଛୋଟ ରହିଛି । ଏମିତିରେ ଘର ସିଫ୍ଟ କରିବା ପୁଣି ଖାଲି କରିବା ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ପଡିବ । ତାଙ୍କ କାର୍ଯ୍ୟକାଳ ସରିବା ପରେ ଜଷ୍ଟିସ ବିଆର ଗବଇ ଦେଶର ପ୍ରଧାନ ବିଚାରପତି ହେବେ । ଗବଇଙ୍କ କାର୍ଯ୍ୟକାଳ ମଧ୍ୟ ଛୋଟ ରହିଛି । ସେହିପରି ଚଳିତ ବର୍ଷ ସାତ ବିଚାରପତି ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ । ସର୍ବପ୍ରଥମେ ଜଷ୍ଟିସ ଭି ସୁବ୍ରମଣ୍ୟମ ଅବସର ନେଉଛନ୍ତି ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସବୁଠୁ ଲମ୍ବା କାର୍ଯ୍ୟକାଳ ଡିୱାଇ ଚନ୍ଦ୍ରଚୂଡଙ୍କ ପିତାଙ୍କ ରହିଛି । ସେ ୧୯୭୮ ଫେବୃଆରୀ ୨୨ରୁ ପ୍ରଧାନ ବିଚାରପତି ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୧୯୮୫ ଜୁଲାଇ ୧୧ରେ ଅବସର ନେଇଥିଲେ । ଏହିପରି ସେ ୭ ବର୍ଷ ୫ ମାସର ଲମ୍ବା ସମୟ ଦେଶର ପ୍ରଧାନ ବିଚାରପତି ରହିଥିଲେ । ଆଉ ତାଙ୍କ ପରେ ପୁଅ ଡିୱାଇ ଚନ୍ଦ୍ରଚୂଡ ମଧ୍ୟ ୨ ବର୍ଷ ପ୍ରଧାନ ବିଚାରପତି ପଦରେ ରହିଥିଲେ ।