ରାୟପୁର: ଛତିଶଗଡ଼ରେ ଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ସରକାର ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବେ। ଏଥିରେ ସନ୍ଦିଗ୍ଧଙ୍କ ଆଧାର କାର୍ଡ, ରାସନ କାର୍ଡ, ପାନ୍ କାର୍ଡ ଆଦି କାଗଜପତ୍ର ଯାଞ୍ଚ କରାଯିବ। ଗତ ୫ ବର୍ଷ ମଧ୍ୟରେ ଜନପ୍ରତିନିଧିଙ୍କ ଜରିଆରେ କରାଯାଇଥିବା ଆଧାର ଓ ରାସନ କାର୍ଡ ଏବଂ ଅନ୍ୟାନ୍ୟ କାଗଜପତ୍ରକୁ ମଧ୍ୟ ଏହି ଅଭିଯାନ ସମୟରେ ଯାଞ୍ଚ ପରିସରଭୁକ୍ତ କରାଯିବ।
ସୁପାରିସ ଆଧାରରେ କରାଯାଇଥିବା ଆଧାର କାର୍ଡର ବିବରଣୀ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଅନୁରୋଧ କରିଛନ୍ତି। ଠକେଇରେ ସମ୍ପୃକ୍ତ ଜନପ୍ରତିନିଧିଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏହାପରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଜାତୀୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନଙ୍କୁ ଚିହ୍ନଟ କରି ପ୍ରତ୍ୟାର୍ପଣ କରିବା ଦିଗରେ ପଦକ୍ଷେପ ନିଆଯିବ। କୁହାଯାଉଛି ଯେ ବାହାର ରାଜ୍ୟରୁ ବହୁ ସଂଖ୍ୟକ ଲୋକ ବିନା କାଗଜପତ୍ରରେ ରହୁଛନ୍ତି ଓ କାମ କରୁଛନ୍ତି।
ଦୁର୍ଗ ଜିଲ୍ଲାରେ ୧୫୦୦ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ନେଇ ଗୃହ ବିଭାଗକୁ ସୂଚନା ମିଳିଛି। ଭିଲାଇ ଇସ୍ପାତ କାରଖାନା (ବିଏସପି)ରେ ଶହ ଶହ ଠିକା କର୍ମଚାରୀ ବିନା କୌଣସି ସିଭିଲ କାଗଜପତ୍ରରେ କାମ କରୁଛନ୍ତି। ଖୁବ୍ ଶୀଘ୍ର ଠିକା କର୍ମଚାରୀଙ୍କ କାଗଜପତ୍ର ଯାଞ୍ଚ ଆରମ୍ଭ ହେବ। ରାଜ୍ୟରେ ବିନା ପରିଚୟପତ୍ରରେ ରହୁଥିବା ଲୋକଙ୍କୁ ଧରିବା ପାଇଁ ଗୃହ ବିଭାଗ ଖୁବ୍ ଶୀଘ୍ର ଏସ୍ଓପି (ଷ୍ଟାଣ୍ଡିଂ ଅପରେଟିଂ ପ୍ରୋସିଜିଓର) ଜାରି କରିବାକୁ ପ୍ରସ୍ତୁତି ଚଳାଇଛି।