ରାଉରକେଲା : ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଫେରିଛି ହକି ଇଣ୍ଡିଆ ଲିଗ୍ । ଯାହାକୁ ନେଇ ବେଶ୍ ଉତ୍ସାହ ଅଛନ୍ତି କ୍ରୀଡ଼ାପ୍ରେମୀ । ଶନିବାର ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ଷଷ୍ଠ ସଂସ୍କରଣ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚରେ ପେନାଲ୍ଟି ସୁଟ୍ଆଉଟ୍ ୨-୨ (୪-୨) ଗୋଲରେ ଗୋନାସିକାକୁ ପରାସ୍ତ କରିଛି ଦିଲ୍ଲୀ ଏସ୍ଜି ପାଇପର୍ସ । ଏହି ବିଜୟ ଯାତ୍ରା ସହ ଦିଲ୍ଲୀ ଏସ୍ଜି ପାଇପର୍ସ ୨ ପଏଣ୍ଟ ପାଇଥିବା ବେଳେ ପରାଜିତ ଟିମ୍ ଗୋନାସିକାକୁ ୧ ପଏଣ୍ଟ ମିଳିଛି। ପାଖାପାଖି ୧୫ ହଜାର ଦର୍ଶକ ଟିମ୍ ଗୋନସିକା ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍କୁ ଉପଭୋଗ କରିଥିଲେ।
ନିର୍ଦ୍ଧାରିତ ସମୟ ମଧ୍ୟରେ ଖେଳ ୨-୨ ଗୋଲ ବରାବର ରହିବାରୁ ସୁଟ୍ଆଉଟ୍ ହୋଇଥିଲା। ଏଥିରେ ଦିଲ୍ଲୀ ଏସ୍ଜି ପାଇପର୍ସ ୪-୨ ଗୋଲରେ ବିଜୟୀ ହୋଇଥିଲା। ପେନାଲ୍ଟି ସୁଟ୍ଆଉଟ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସ ପକ୍ଷରୁ ଥମାସ ୱାଲଟନ, ମିଚେଲ ଡୋମିନ, କେ ୱିଲୋଟ ଓ ରାଜକୁମାର ପାଲ୍ ଗୋଲ ଦେଇଥିଲେ। ଟିମ୍ ଗୋନାସିକା ପକ୍ଷରୁ ଲି ମର୍ଟନ ଓ ତିମୋତି କ୍ଲିମେଣ୍ଟ ଗୋଲ ଦେଇଥିଲେ। ୫ ମିନିଟ୍ରେ ଦିଲ୍ଲୀକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଫରୱାର୍ଡ ଥୋମାସ ଡୋମେନ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଦିଲ୍ଲୀ ଏସ୍ଜି ପାଇପର୍ସ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଏହାପରେ ୨୬ ମିନିଟ୍ରେ ଟିମ୍ ଗୋନାସିକା ପକ୍ଷରୁ ଷ୍ଟୁୱାନ ୱାଲକର ଗୋଲ ଦେଇ ମ୍ୟାଚ୍କୁ ୧-୧ ବରାବର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଖେଳ ୧-୧ ଗୋଲ ବରାବରରେ ରହିଥିଲା। ତୃତୀୟ କ୍ବାର୍ଟର ତଥା ୩୫ ମିନିଟ୍ରେ ଟିମ୍ ଗୋନାସିକାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଫ୍ରାନ୍ସର ଭିକ୍ଟର ସାର୍ଲେଟ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ୩୯ ମିନିଟ୍ରେ ଦିଲ୍ଲୀ ଏସ୍ଜି ପାଇପର୍ସ ଗୋଲ ବରାବର କରି ନେଇଥିଲା। ଦଳ ପକ୍ଷରୁ ଥୋମାସ ଡୋମେନ ଗୋଲ ଦେଇ ମ୍ୟାଚକୁ ୨-୨ ବରାବର କରିଥିଲେ। ଅନ୍ତିମ କ୍ବାର୍ଟର ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇ ନଥିଲେ। ତେବେ ଶେଷ ମୁହୂର୍ତ୍ତରେ ପେନାଲ୍ଟି ସୁଟ୍ଆଉଟ୍ ରେ ଦିଲ୍ଲୀ ଗୋନସିକାକୁ ପରାସ୍ତ କରିଥିଲା ।
ଚଳିତ ଥର ହକି ଇଣ୍ଡିଆ ଲିଗ ଓଡ଼ିଶାର ରାଉରକେଲା ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯାଉଛି। ଲିଗ ରେ ୮ଟି ଦଳ ଅଂଶଗ୍ରହଣ କରିଛନ୍ତି। ଫେବୃଆରୀ ୧ରେ ଫାଇନାଲ ମ୍ୟାଚ ଖେଳାଯିବ। ରବିବାର ରାଉରକେଲାରେ ୨ଟି ମ୍ୟାଚ ଖେଳାଯିବ। ସନ୍ଧ୍ୟା ୬ଟାରେ ପ୍ରଥମ ମ୍ୟାଚରେ ହାଇଦରାବାଦ ତୁଫାନ୍ସକୁ ଭେଟିବ ରାହ ବେଙ୍ଗଲ ଟାଇଗର୍ସ ଓ ରାତି ୮.୧୫ରେ ସୁରମା ହକି କ୍ଲବ୍ କୁ ଭେଟିବ ତାମିଲନାଡୁ ଡ୍ରାଗନ୍ସ । ଉଭୟ ଚାରି ଟିମ ମଧ୍ୟରେ କଡା ମୁକାବିଲା ହେବ ବୋଲି ଦର୍ଶକ ଆଶା ରଖିଛନ୍ତି ।