ମେଲବର୍ଣ୍ଣ: ପ୍ରଥମ ତିନି ଦିନର ଖେଳରେ ଅଷ୍ଟ୍ରେଲିଆ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲା । ଲାଗୁଥିଲା ଭାରତ ପରାଜୟ ଆଡକୁ ଅଗ୍ରସର ହେଉଛି । ପୁଣି ନୀତିଶ ରେଡ୍ଡୀ ଶତକ ଅର୍ଜନ କରି ଭାରତକୁ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଚତୁର୍ଥ ଦିନରେ ବୁମରା ଓ ସିରାଜ ଘାତକ ବୋଲିଂ କରି ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଲେ । ଏହି ସମୟରେ ଲାଗିଲା ଭାରତ ପାଇଁ ବିଜୟ ମାର୍ଗ ଖୋଲି ଯାଇଛି । କିନ୍ତୁ ଶେଷ ୱିକେଟରେ ନାଥନ ଲିୟୋନ ଓ ସ୍କୋଟ ବୋଲାଣ୍ଡ ଅର୍ଦ୍ଧଶତକୀୟ ଭାଗିଦାରୀ କରି ଭାରତ ବିଜୟ ଏକ ପ୍ରକାର ଗ୍ରହଣ ଲଗାଇଛନ୍ତି । ଏକଦା ଘରୋଇ ଦଳ ୯ୱିକେଟ୍ ହରାଇ ୧୭୩ ରନ କରିଥିଲା । କିନ୍ତୁ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ସେହି ୯ ୱିକେଟ୍ ହରାଇ ସ୍କୋର ୨୨୮ରେ ପହଞ୍ଚି ଯାଇଛି । ଏଥିସହ ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ ଅଷ୍ଟ୍ରେଲିଆ ଭାରତଠୁ ୩୩୩ ରନ ଆଗୁଆ ରହିଛି । ଲିୟୋନ ୪୧ ରନ ଓ ବୋଲାଣ୍ଡ ୧୦ ରନ କରି କ୍ରିଜରେ ଅଛନ୍ତି । ଗୋଟିଏ ପ୍ରକାର କହିବାକ ଗଲେ ବୁମରାଙ୍କ ୪ ଓ ସିରାଜଙ୍କ ୩ ସଫଳତା ବୃଥା ହେବାକୁ ଯାଉଛି ।
ଭାରତ ଚତୁର୍ଥ ଦିନର ଖେଳ ଆରମ୍ଭରୁ ୩୬୯ ରନରେ ଅଲଆଉଟ୍ ହୋଇଥିଲା । ଏହା ପରେ ଘରୋଇ ଦଳ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ହେଲେ ଭାରତୀୟ ଦ୍ରୁତ ବୋଲର ବୁମରା ଓ ସିରାଜ ଘାତକ ବୋଲିଂ କରି ଅଷ୍ଟ୍ରେଲିଆ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଟପ ଅର୍ଡରରେ ମାର୍ନସ ଲାବୁସେନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ । ସାମ କୋନଷ୍ଟାସ(୮), ଉସ୍ମାନ ଖ୍ୱାଜ(୨୧), ଷ୍ଟିଭ ସ୍ମିଥ(୧୩), ଟ୍ରେଭିସ ହେଡ(୧), ମିଚେଲ୍ ମାର୍ଶ(୦) ଓ ଆଲେକ୍ସଦ କେରି(୨) ବୁମରା ଓ ସିରାଜଙ୍କ ଶିକାର ହୋଇଥିଲେ । ଏକଦା ୬ ୱିକେଟ୍ ହରାଇ ୯୧ ରନ କରିଥିବା ଅଷ୍ଟ୍ରେଲିଆ ଇନିଂସକୁ ସମ୍ଭାଳିଥିଲେ ଲାବୁସେନ । ଏହି ବ୍ୟାଟର ଅର୍ଦ୍ଧଶତକ ହାସଲ କରି ୭୦ ରନର ଇନିଂସ ଖେଳିଥିଲେ । ଫଳରେ ଅଷ୍ଟ୍ରେଲିଆର ସ୍କୋର ୧୪୮ ରନରେ ପହଞ୍ଚିଥିଲା । ଅଧିନାୟକ ପାଟ୍ କମିନ୍ସଙ୍କ ସହ ଲାବୁସେନ ଅଷ୍ଟମ ୱିକେଟ ପାଇଁ ୫୭ ରନ ଯୋଡିଥିଲେ । ମିଚେଲ୍ ଷ୍ଟାର୍କ ୫ ରନ କରି ଆଉଟ୍ ହୋଇଥିଲେ । କମିନ୍ସ ୪୧ ରନର ଇନିଂସ ଖେଳି ପାଭିଲିୟନ ଫେରିଥିଲେ । ୧୭୩ ରନରେ ୯ ବ୍ୟାଟର ହରାଇବା ପରେ ଲାଗୁଥିଲା ଅଷ୍ଟ୍ରେଲିଆ ଇନିଂସର ଶୀଘ୍ର ଅନ୍ତ ଘଟିବ ।
ମାତ୍ର ନାଥନ ଲିୟୋନ ଯେଉଁଭଳି ଭାବେ ଆକ୍ରମଣାତ୍ମକ ବ୍ୟାଟିଂ କଲେ, ତାହା ଭାରତର ବିଜୟ ଆଶାକୁ ମଉଳି ଦେଇଛି । ସେ ସ୍କୋଟ ବୋଲାଣ୍ଡଙ୍କ ସହ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ଦଶମ ୱିକେଟ ପାଇଁ ଏ ପର୍ଯ୍ୟନ୍ତ ୫୫ ରନ ଭାଗିଦାରୀ କରି ସାରିଛନ୍ତି । ଫଳରେ ଅଷ୍ଟ୍ରେଲିଆର ସ୍କୋର ୨୨୮ରେ ପହଞ୍ଚିଚି । ଏହିପରି ଦଳ ଭାରତଠୁ ୩୩୩ ରନର ଅଗ୍ରଣୀ ହାସଲ କରି ସାରିଛି । ଯଦି ଅଷ୍ଟ୍ରେଲିଆକୁ ଭାରତ ୨୦୦ ରନ ଭିତରେ ଅଲଆଉଟ୍ କରି ପାରିଥାନ୍ତା ତେବେ ଭାରତକୁ ବିଜୟ ଲକ୍ଷ୍ୟ ୩୦୦ ଭିତରେ ରହିଥାନ୍ତା, ଯାହା ପଞ୍ଚମ ଦିନ ପାଇଁ ହାସଲ କରିବା ଆଶା କରାଯାଉଥିଲା । କିନ୍ତୁ ଭାରତର ବିଜୟରେ ଏକ ପ୍ରକାର ଗ୍ରହଣ ଲଗାଇଛନ୍ତି ଲିୟୋନ ।
ବୁମରା ଦମଦାର ବୋଲିଂ କରି ୫୬ ରନ ଦେଇ ୪ ସଫଳତା ହାସଲ କରିଥିବା ବେଳେ ମହମ୍ମଦ ସିରାଜ ୬୬ ରନ ଦେଇ ୩ ୱିକେଟ୍ ନେଇଛନ୍ତି । ଜାଡେଜାଙ୍କୁ ଗୋଟିଏ ୱିକେଟ୍ ମିଳିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୭୪ ରନ କରିଥିଲା ।