ନୂଆଦିଲ୍ଲୀ: ଭାରତୀୟ ରେଳବାଇର ନୂଆ ସମୟ ସୂଚୀ ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ରେଳବାଇ ଏହାକୁ ଜାରି କରିଛି। ନୂଆ ବ୍ୟବସ୍ଥାରେ ୨,୮୭୫ ପାସେଞ୍ଜର ଟ୍ରେନ୍ ସଂଖ୍ୟା ପରିବର୍ତ୍ତନ କରାଯାଇଛି। ଏଥିରେ ଉଭୟ ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ରହିଛି। ସେହିପରି ଷ୍ଟେସନରୁ ଚାଲି ଗନ୍ତବ୍ୟସ୍ଥଳରେ ପହଞ୍ଚୁଥିବା ଅନେକ ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି।
ଏହା ହେଉଛି ଭାରତୀୟ ରେଳବାଇର 'ଟ୍ରେନ୍ ଆଟ୍ ଆ ଗ୍ଲାନ୍ସ'ର ୪୪ତମ ସଂସ୍କରଣ। ପୂର୍ବରୁ ପ୍ରତିବର୍ଷ ଜୁନ୍ ୩୦ତାରିଖରେ ଏହି ପରିବର୍ତ୍ତନ କରାଯାଉଥିଲା, ଯାହାକୁ ଜୁଲାଇ ପହିଲାରୁ ଲାଗୁ କରାଯାଇଥିଲା। କିନ୍ତୁ ଗତବର୍ଷ ଅକ୍ଟୋବର ପହିଲାରୁ ନୂଆ ଟାଇମ୍ ଟେବୁଲ ଲାଗୁ ହୋଇଥିଲା, ଯାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏକ୍ସପ୍ରେସ ଟ୍ରେନର ସମୟ ୫ ମିନିଟରୁ ୧ ଘଣ୍ଟା ଏବଂ ପାସେଞ୍ଜର ଟ୍ରେନର ସମୟ ୫ ମିନିଟରୁ ୨୦ ମିନିଟକୁ ପରିବର୍ତ୍ତନ କରାଯାଇଛି।
ଅଧିକାଂଶ ଟ୍ରେନର ପ୍ରାରମ୍ଭିକ ସମୟକୁ ହ୍ରାସ କରାଯାଇଛି। ଉଦାହରଣ ସ୍ୱରୂପ ଡିବ୍ରୁଗଡ଼ ରାଜଧାନୀ ଏକ୍ସପ୍ରେସ ପାଟଲିପୁତ୍ରରୁ ଅପରାହ୍ନ ୪ଟା ୧୫ ପରିବର୍ତ୍ତେ ଅପରାହ୍ନ ୪ଟା ୫ରେ ଛାଡ଼ିବ। ସେହିପରି ଆନନ୍ଦବିହାର ଜନଶତାବ୍ଦୀ ଏକ୍ସପ୍ରେସ ଦାନାପୁର ଷ୍ଟେସନରୁ ଅପରାହ୍ନ ୪ଟା ପରିବର୍ତ୍ତେ ଅପରାହ୍ନ ୩ଟା ୫୦ରେ ଛାଡ଼ିବ। ସେହି ଟ୍ରେନ୍ ଗୁଡ଼ିକର ସଂଖ୍ୟା ମଧ୍ୟ ବଦଳିବ, ଯାହାର ନମ୍ବର କୋଭିଡ୍ ସମୟରେ (ଶୂନ୍ୟ) ପୂର୍ବରୁ ରଖାଯାଇଥିଲା। ଏହି ପରିବର୍ତ୍ତନ ପରେ ଟିକେଟ ବୁକିଂ ପୂର୍ବରୁ ବିଶେଷ ଯତ୍ନ ନେବାକୁ ପଡିବ। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କୁ ଟ୍ରେନ୍ ନମ୍ବର କନଫର୍ମ କରିବା ପରେ ହିଁ ଟିକେଟ୍ ବୁକ୍ କରିବାକୁ ଅନୁରୋଧ କରାଯାଇଛି। ଏଥିସହ ଯାତ୍ରାରେ ବାହାରିବା ପୂର୍ବରୁ ନୂଆ ସମୟ ସୂଚୀ ଓ ନମ୍ବର ଯାଞ୍ଚ କରନ୍ତୁ।
ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକୁ ମଧ୍ୟ ନୂଆ ସମୟ ସୂଚୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହିତ ୬୨ଟି (୩୧ ଯୋଡ଼ା) ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଗତବର୍ଷ ଚଳାଚଳ ଆରମ୍ଭ ହୋଇଛି। ଏପରି ୯୦ଟି ଟ୍ରେନ୍ ମଧ୍ୟ ରହିଛି ଯାହାକୁ ଆଂଶିକ ବାତିଲ କରାଯାଇଛି କିମ୍ବା କୁହୁଡ଼ି କାରଣରୁ ଏହାର ଫ୍ରିକ୍ୱେନ୍ସି ହ୍ରାସ କରାଯାଇଛି।
ଏହାକୁ ୪୬ ଯୋଡ଼ା ଟ୍ରେନ୍ ଦ୍ୱାରା ବୃଦ୍ଧି କରାଯାଇଛି। ଅର୍ଥାତ୍ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳଠାରୁ କିଛି ଷ୍ଟେସନରେ ଏହା ଚାଲିବ। କେତେକ ଟ୍ରେନର ଷ୍ଟପେଜ୍ ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ପର୍ବପର୍ବାଣୀ ସମୟରେ ସୁରୁଖୁରୁରେ ଯାତ୍ରା କରିବା ପାଇଁ ପ୍ରତିବର୍ଷ ୪୦୫୬ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ବୋଲି ଟ୍ରେନ୍ ଆଟ୍ ଆ ଗ୍ଲାନ୍ସରେ କୁହାଯାଇଛି।
ଅଧିକ ପଢ଼ନ୍ତୁ: ଭାରତ ସମେତ ସାରା ବିଶ୍ୱରେ ଉତ୍ସାହର ସହ ନୂଆବର୍ଷ ଆରମ୍ଭ