ମୁମ୍ବାଇ: ପୁଷ୍ପା ୨ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଛି । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ମାମଲାରେ ଅଭିନେତାଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହି ମାମଲାରେ ଡିସେମ୍ବର ୧୩ ତାରିଖରେ ହାଇଦ୍ରାବାଦ ପୋଲିସ ତାଙ୍କୁ ଗିରଫ କରିଥିଲା । ତେବେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ୪ ସପ୍ତାହର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ଏବଂ ଡିସେମ୍ବର ୧୪ ତାରିଖ ଜେଲରୁ ମୁକୁଳିଥଲେ ଅଲ୍ଲୁ ଅର୍ଜୁନ ।
ଅଲ୍ଲୁଙ୍କ ଓକିଲ ଅକୋଶ ରେଡ୍ଡୀ କହିଛନ୍ତି, କୋର୍ଟ ଅଲ୍ଲୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଏହି ଆଧାରରେ ଅଭିନେତାଙ୍କୁ ଥାନାରେ ଆବଶ୍ୟକ ସ୍ଥଳେ ହାଜର ହେବାକୁ ପଡିବ । ଦଳାଚକଟା ଘଟଣା କୌଣସି ଉଦ୍ଦେଶ୍ୟମୂଳକ ନ ଥିଲା । ତେଣୁ ଅଲ୍ଲୁ ଅର୍ଜୁନଙ୍କୁ ଜାମିନ ମିଳିଛି । ହାଇକୋର୍ଟରେ କ୍ୱାଶ ପିଟିସନର ରହିଛି ଏବଂ ଏହାକୁ ଆମେ ଆଗକୁ ବଢାଇବୁ ବୋଲି ଓକିଲ କହିଛନ୍ତି ।
ସୂଚନାଯୋଗ୍ୟ, ଡିସେମ୍ବର ୪ରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପୁଷ୍ପା ୨ର ପ୍ରିମିୟର ଶୋ ଥିଲା । ଏଠାରେ ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା । ଭିଡ ଅନିୟନ୍ତ୍ରିତ ହେବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅଙ୍କ ଚିିକିତ୍ସା ଜାରି ରହିଛି । ଏହି ଘଟଣାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା ଦଳ ଓ ଥିଏଟର ପ୍ରବନ୍ଧକଙ୍କ ବିରୋଧରେ କେସ୍ ରୁଜୁ ହୋଇଥିଲା ।
ଡିସେମ୍ବର ୨୪ରେ ଗୁରୁତର ଆହତ ପିଲାର ବାପା କହିଥିଲେ ଯେ, ଏବେ ପୁଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ସେ ଅଲ୍ଲୁ ଅର୍ଜୁନ ଓ ତେଲେଙ୍ଗାନା ସରକାରଙ୍କୁ ସବୁ ପ୍ରକାରରର ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ । ଉଲ୍ଲେଖନୀୟ ଅଲ୍ଲୁ ଅର୍ଜୁନ ପିଲାର ଚିକିତ୍ସା ପାଇଁ ପରିବାରକୁ ଏକ କୋଟି ଟଙ୍କା ସାହାଯ୍ୟ କରିଥିଲେ । ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ୫୦-୫୦ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ । ଡିସେମ୍ବର ୨୫ରେ ଅଲ୍ଲୁଙ୍କ ପିତା ଅଲ୍ଲୁ ଅରବିନ୍ଦ ୨ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ।