ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଜିଏସଟି ପରିଷଦର ୫୫ତମ ବୈଠକ ପୂରା ହୋଇଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଜି ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ବୈଠକ ସନ୍ଧ୍ୟା ୫ଟାରେ ସରିଥିଲା। ବୈଠକ ପରେ ଅର୍ଥ ମନ୍ତ୍ରୀ କହିଛନ୍ତି, ଅନେକ ସାମଗ୍ରୀ ଉପରେ ଜିଏସଟି ବଢା ଯାଇଥିବା ବେଳେ ଅନେକ ବସ୍ତୁ ଉପରେ ଜିଏସଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତୁ ଜାଣିବା କେଉଁ ଜିନିଷ ମହଙ୍ଗା ଏବଂ କେଉଁ ଜିନିଷ ଶସ୍ତା ହେଲା।
ପୁରୁଣା ଗାଡ଼ି ସହ ଇଭି ଉପରେ ବଢିଲା ଜିଏସଟି :
ପୁରୁଣା କାର ଉପରେ ଜିଏସଟି ୧୨ ପ୍ରତିଶତ ବଢାଯାଇ ୧୮ ପ୍ରତିଶତ କରାଯାଇଛି। ମାତ୍ର ଏହାର ପ୍ରଭାବ କେବଳ କମ୍ପାନି ଉପରେ ପଡ଼ିବ। କାରଣ ବ୍ୟବସାୟ ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ପୁରୁଣା କାରକୁ କିଣିବା ଓ ବିକ୍ରି ଉପରେ ହିଁ ଜିଏସଟି ବଢା ଯାଇଛି। ଏଥିରେ ଇଲେକ୍ଟ୍ରିକ ଭେଇକିଲ ବି ସାମିଲ। ଯଦି କୌଣସି ସାଧାରଣ ନାଗରିକ ପୁରୁଣା ଗାଡ଼ି କିଣନ୍ତି କିମ୍ବା ବିକନ୍ତି ତେବେ ତାଙ୍କ ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ।
ବୀମା ଓ ଖାଦ୍ୟ ଅର୍ଡର ହେବନି ଶସ୍ତା:
ସ୍ଵାସ୍ଥ୍ୟ ବୀମା ଓ ଜୀବନ ବୀମା ଉପରେ ଜିଏସଟି କମ କରିବା କିମ୍ବା ହଟାଇବା ଉପରେ ନିଷ୍ପତ୍ତି ନିଆଯାଇ ପାରିନି। ଏହା ସହିତ ଜୋମାଟୋ ଓ ସ୍ଵିଗି ପରି ଅନଲାଇନ ପ୍ଲାଟଫର୍ମରୁ ଖାଦ୍ୟ ଅର୍ଡର କରିବା ଉପରେ ଜିଏସଟି କମ କରିବା ପ୍ରସ୍ତାବ ଉପରେ କିଛି ବିଚାର କରାଯାଇନାହିଁ। ଫଳରେ ପୂର୍ବରୁ ଯେତିକି ଜିଏସଟି ଲାଗୁଥିଲା ତାହା ବଳବତ୍ତର ରହିଛି।
ପପକନ୍ ଉପରେ ୩ଟି ଜିଏସଟି ରେଟ୍ :
ଜିଏସଟି ପରିଷଦରେ ପପକନ୍ ଉପରେ ତିନି ପ୍ରକାରର ଜିଏସଟି ଦର ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରତମ ଲୁଣ ଓ ମସାଲା ସହିତ ମିକ୍ସ ରେଡି ଟୁ ଇଟ୍ ବିଶିଷ୍ଟ ପପକନ ଉପରେ ୫ ପ୍ରତିଶତ ଜିଏସଟି ଲାଗିବ। ସର୍ତ୍ତ ଏହା ଯେ, ଏହା ପ୍ୟାକ୍ ହୋଇ ନ ଥିବ। ପ୍ୟାକ୍ ହୋଇଥିଲେ ଏହା ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ। ଏହିପରି କାରନେଲ ପପକନ୍ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ।