ନୂଆଦିଲ୍ଲୀ: ନିଜ କ୍ଷମତା ବଞ୍ଚାଇବା ପାଇଁ କୌଣସି ବି ସ୍ତରକୁ ଯାଇ ଅନ୍ୟ ଦେଶ ବିରୋଧରେ ମନଗଢା ଅଭିଯୋଗ ଲଗାଉଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବେ ସଙ୍କଟରେ ଘେରି ହୋଇ ଯାଇଛନ୍ତି । ତାଙ୍କ ସରକାର ଚାଲି ଯିବାର ବିପଦ ଦେଖା ଦେଇଛି । କାନାଡାର ସାଂସଦ ଚନ୍ଦ୍ରା ଆର୍ଯ୍ୟ ଟ୍ରୁଡୋଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ କଡା ଶବ୍ଦରେ ଚିଠି ଲେଖିଛନ୍ତି । ଚନ୍ଦ୍ରା ଲେଖିଛନ୍ତି, ପିଏମ ଟ୍ରୁଡୋଙ୍କ ଲିବେରାଲ ନେତା ଭାବେ ପଦରୁ ହଟିବାର ସମୟ ଆସି ଯାଇଛି । ତୁରନ୍ତ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ଉଚିତ୍ । ଆର୍ଯ୍ୟଙ୍କ ଏହି ଲେଟର ସେହି ସମୟରେ ଆସିଛି, ଯେଉଁ ସମୟରେ କାନାଡାରେ ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସାଂସଦମାନେ ପ୍ରସ୍ତୁତି କରୁଛନ୍ତି । ତାଙ୍କର ଦିନେ ସହଯୋଗୀ ଥିବା ଜଗମିତ ସିଂଙ୍କ ପାର୍ଟି ଅନାସ୍ଥା ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି ।
ଜଷ୍ଟିସ ଟ୍ରୁଡୋଙ୍କୁ ସମ୍ବୋଧିତ କରି ଲେଖା ହୋଇଥିବା ଚିଠିରେ କାନାଡାର ସାଂସଦ ଚନ୍ଦ୍ରା ଆର୍ଯ୍ୟ ଲେଖିଛନ୍ତି, ଆପଣଙ୍କ ନେତୃତ୍ୱ ପାଇଁ ଧନ୍ୟବାଦ । ଆପଣଙ୍କ ବଳରେ ଆମ ଲିବେରାଲ ପାର୍ଟିର ୨୦୧୫ରେ ପୁନରୁଥାନ ହୋଇଛି । ଆପଣଙ୍କ ମାର୍ଗଦର୍ଶନରେ ଆମେ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛୁ । ଆପଣ କାନାଡାବାସୀଙ୍କ ଭରସାକୁ ପୂରା କରିଛନ୍ତି । କିନ୍ତୁ ଆଜି ଏହା ସ୍ପଷ୍ଟ ହୋଇ ଯାଇଛି ଯେ, ଏବେ ଆପଣଙ୍କୁ ହାଉସ ଅଫ କମନ୍ସରେ ବିଶ୍ୱାସ ନାହିଁ । ମୋତେ ବିଶ୍ୱାସ ଯେ, ଲିବେରାଲ କକସର ବହୁମତ ଏବେ ଆପଣଙ୍କ ସହ ନାହିଁ ।
ଅନ୍ୟପଟେ ଜଷ୍ଟିସନ ଟ୍ରୁଡୋଙ୍କ ପୂର୍ବତନ ସହଯୋଗୀ ନ୍ୟୁ ଡେମୋକ୍ରାଟିକ ପାର୍ଟି(ଏନଡିପି)ର ନେତା ଜଗମୀତ ସିଂ ଘୋଷଣା କରିଛନ୍ତି ଯେ, ସଙ୍କଟଗ୍ରସ୍ତ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ନେତୃତ୍ୱାଧୀନ ସଂଖ୍ୟାଲଘୁ ସରକାରକୁ ଭାଙ୍ଗିବା ପାଇଁ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ଶୁକ୍ରବାର ଜଗମୀତ ସିଂ ଏକ ଖୋଲା ଚିଠିରେ ଏହାର ଘୋଷଣା କରିଛନ୍ତି । ତାଙ୍କ ସହିତ ଅନେକ ସାଂସଦ ଟ୍ରୁଡୋଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ପଦରୁ ହଟିଯିବାକୁ ଦାବି କରିଛନ୍ତି ।